ଗୋଳିଆ ହେଉଛି ଗୋପାଳପୁର ରାଜନୀତି ! ବିଜେଡି ଦୁର୍ଗ ଭାଙ୍ଗିବାକୁ ବଳ କଷୁଛନ୍ତି ବିରୋଧୀ ।

153

କନକ ବ୍ୟରୋ: ଦୀର୍ଘ ୨୦ବର୍ଷ ହେଲା ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ଆସନକୁ କବଜା କରି ରହିଛି ବିଜେଡି । କିନ୍ତୁ ଆଗାମୀ ନିର୍ବାଚନରେ ଏହି ଆସନ ବିଜେଡି ପାଇଁ ଏତେଟା ସହଜ ହେବ ନାହିଁ ବୋଲି କୁହାଯାଉଛି । ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବା ବିଜେପି ଏହି ନିର୍ବାଚନମଣ୍ତଳୀରେ ଏଥର ବିଜୟ ତିଳକ ପିନ୍ଧିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଛି । ଅନ୍ୟପକ୍ଷରେ ଗୋପାଳପୁର ବିଧାନସଭା କ୍ଷେତ୍ରରେ ୪୦ ପ୍ରତିଶତ ତେଲୁଗୁ ସମ୍ପ୍ରଦାୟର ଭୋଟ ରହିଥିବାରୁ କ˚ଗ୍ରେସ ଜଣେ ତେଲୁଗୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେୁଛି । ତେଣୁ ଏହି ନିର୍ବାଚନମଣ୍ତଳୀରେ ୩ ପ୍ରମୁଖ ଦଳ ମଧ୍ୟରେ କଡ଼ା ମୁକାବିଲା ହେବା ଏବେ ଠାରୁ ଜଳ ଜଳ ଦେଖାଯାଉଛି।

ଗୋପାଳପୁର ବିଧାନସଭା କ୍ଷେତ୍ର ୧୯୭୪ ମସିହାରେ ଗଠିତ ହୋଇଥିବା ବେଳେ ଇତିମଧ୍ୟରେ ୧୦ଟି ନିର୍ବାଚନକୁ ସାମ୍ନା କରିଛି । ଏହି ବିଧାନସଭା କ୍ଷେତ୍ର ଏସସି ବର୍ଗ ପାଇଁ ସ˚ରକ୍ଷତି ରହିଥିଲା। ଏକଦା ଅର୍ଥାତ ୧୯୭୪ ଠାରୁ ୧୯୮୫ ଯାଏଁ ଏହି ବିଧାନସଭା ଆସନ କ˚ଗ୍ରେସ ଦଖଲରେ ରହିଥିଲା । କିନ୍ତୁ ୧୯୯୦ ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ଜନତା ଦଳ ସରକାର ଗଢିଥିଲା । ଆଉ ଏହି ଆସନ କ˚ଗ୍ରେସ ହାତରୁ ଖସିଥିଲା। କିନ୍ତୁ ୨୦୦୪ ନିର୍ବାଚନ ଏହି ଆସନକୁ ବିଜେଡି ହାତରୁ କ˚ଗ୍ରେସ ଛଡାଇ ନେଇଥିଲା। କ˚ଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ସୀମା ନିର୍ଦ୍ଧାରଣରେ ଏହି ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଥିଲା।

୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ୩୭ ହଜାର ୬୧୨ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିଲେ। କ˚ଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ଦ୍ବିତୀୟ ସ୍ଥାନ ଓ ବିଜେପି ପ୍ରାର୍ଥୀ ବିଭୂତି ଭୂଷଣ ଜେନା ତୃତୀୟ ସ୍ଥାନରେ ରହିଥିଲେ।
କିନ୍ତୁ ସେତେବେଳେ ବିଜେଡି ପ୍ରାର୍ଥୀ ଅନୁଜ କୁମାର ନାୟକ ଟିକେଟ ଆଶାୟୀ ରହିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ନ ଦେବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ୧୪,୬୭୯ଖଣ୍ତ ଭୋଟ ପାଇଥିଲେ। କିନ୍ତୁ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ସତ୍ତ୍ବେ ପ୍ରଦୀପ ପାଣିଗ୍ରାହୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ପ୍ରାୟ ୧୮ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହାପରଠୁ ପ୍ରଦୀପ ପାଣିଗ୍ରାହୀ ଏହି ନିର୍ବାଚନମଣ୍ତଳୀକୁ ଆଉ ହାତଛଡା କରିବାକୁ ଦେଇନାହାନ୍ତି। ଆସନ୍ତା ନିର୍ବାଚନରେ ମଧ୍ୟ ପ୍ରଦୀପଙ୍କୁ ଟିକେଟ୍ ମିଳିବା ଏକ ପ୍ରକାର ସୁନିଶ୍ଚିତ ବୋଲି ଶୁଣିବାକୁ ମିଳୁଛି । କାରଣ ପ୍ରଦୀପଙ୍କ ବ୍ୟତୀତ ବିଜେଡିରେ ଅନ୍ୟ କୌଣସି ପ୍ରାର୍ଥୀଙ୍କ ନାଁ ଏଯାବତ୍ ଲୋକଲୋଚନକୁ ଆସିନାହିଁ ।

ସେହିଭଳି ବିଜେପି ୨୦୧୪ ନିର୍ବାଚନରେ ଦ୍ବିତୀୟ ସ୍ଥାନକୁ ଆସିବା ପରେ ଏହି ନିର୍ବାଚନ କ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ବ ଦେଇଆସିଛି। ଭାଜପା ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏହି ନିର୍ବାଚନମଣ୍ତଳୀର ହୁଗୁଳୁପଟା ଗ୍ରାମଠାରେ ଆୟୋଜିତ ସଭାରେ ଯୋଗଦେଇ ‘ ମୋ ବୁଥ୍ ଟ୍ଟଅଧିକ ମଜବୁତ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏପରିକି ଏହି ନିର୍ବାଚନମଣ୍ତଳୀର ହୁଗୁଳାପଟା ଗ୍ରାମର ନବୀନ ନାମକ ଜଣେ ଦଳିତ ଗରିବ ପରିବାର ଘରେ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଖାଦ୍ୟ ଖାଇବା ଘଟଣା ଚର୍ଚ୍ଚା ପରିଷରକୁ ଆସିଛି । ଅନ୍ୟପଟେ ଗତ ପଞ୍ଚାୟତ ନିର୍ବାଚନରେ ୪ଟି ଜୋନ୍ରୁ ୨ଟି ଜୋନ୍ ଅକ୍ତିଆର କରିବା ପରେ ଦଳକୁ ଅତିରିକ୍ତ ବଳ ଦେଇଛି । ତେଣୁ ଏହି ନିର୍ବାଚନମଣ୍ଡଳୀରେ ଭାଜପାରୁ ବିଭୂତି ଭୂଷଣ ଜେନାଙ୍କୁ ପୁନର୍ବାର ଟିକେଟ୍ ମିଳିବ ବୋଲି ଆପାତତଃ ସ୍ଥିର ହୋଇଥିବା ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି ।

ସେପଟେ କେନ୍ଦ୍ର ରାଜନୀତିରେ ଯୁବ କଂଗ୍ରେସ ଅଧ୍ୟକ୍ଷଙ୍କୁ ପାଇ ଉତ୍ସାହିତ ହୋଇଛି କଂଗ୍ରେସ । ବିଭିନ୍ନ ରାଜ୍ୟକୁ ବିଜେପି ହାତରୁ ଛଡ଼ାଇଆଣି ‘ହାତ’କୁ ମଜଭୁତ କରିଥିବା କଂଗ୍ରେସ ମଧ୍ୟ ଓଡ଼ିଶାରେ କମାଲ କରିବାକୁ ଗୋଟିଚାଳନା କରୁଛି । ଗତଥର କ˚ଗ୍ରେସରୁ ପ୍ରାର୍ଥୀ ହୋଇଥିବା ଜିଲ୍ଲା କ˚ଗ୍ରେସ ସଭାପତି ଭଗବାନ ଗନ୍ତାୟତ ଇତିମଧ୍ୟରେ କ˚ଗ୍ରେସ ଛାଡି ବିଜେଡି ଶିବିରରେ ଯୋଗ ଦେଇଥିଲେ ସୁଦ୍ଧା କଂଗ୍ରେସକୁ ନୂଆ ମୁହଁ ମିଳିଯାଇଥିବା ଚର୍ଚ୍ଚା ହେଉଛି । ତେଣୁ ନୂଆ ରଣନୀତି ପ୍ରସ୍ତୁତ କରି ଏସ୍. ଧର୍ମରାଜ ରେଡ୍ଡିଙ୍କୁ ପ୍ରାର୍ଥୀ କରିବ ବୋଲି ଶୁଣିବାକୁ ମିଳୁଛି । କାରଣ ଧର୍ମରାଜ ରେଡ୍ଡି ତେଲୁଗୁ ସମ୍ପ୍ରଦାୟରୁ ଆସୁଥିବାରୁ ତାଙ୍କୁ କଂଗ୍ରେସକୁ ଫାଇଦା ହୋଇପାରେ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।