କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ । ମନ୍ତ୍ରୀଙ୍କୁ ମାରିବା ପାଇଁ ସମଲେଇ ମନ୍ଦିରରେ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ୫ଶହ ପୃଷ୍ଠାର ଚାର୍ଜସିଟରୁ ସାମ୍ନାକୁ ଆସଛି ଏପରି ସାଂଘାତିକ ତଥ୍ୟ । ସେପଟେ ଉଭୟ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି କ୍ରାଇମବ୍ରାଞ୍ଚ ଚାର୍ଜସିଟକୁ ରଦ୍ଦି କାଗଜ କହିଥିଲା ବେଳେ ଚାର୍ଜସିଟ୍ ଅଧପାନ୍ତରିଆ ବୋଲି କଂଗ୍ରେସର ଅଭିଯୋଗ କରିଛି  ।

Advertisment
  • ନବ ଦାସଙ୍କ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ 
  • ହତ୍ୟା କରିବାକୁ ଲଣ୍ଡା ହୋଇଥିଲା ଗୋପାଳ 
  • ସମଲେଶ୍ୱରୀ ମନ୍ଦିର ଯାଇ ନେଇଥିଲା ଶପଥ 

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସାଢ଼େ ୫ ମାସ ପରେ, ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ହତ୍ୟା ଅଭିଯୁକ୍ତ ଗୋପାଳ ଦାସର ସୂଚନା, ସାକ୍ଷୀଙ୍କ ବୟାନ ଓ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ୫ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ବିଶେଷ କରି ହତ୍ୟା ଘଟଣାରେ ୧୦୦ଜଣ ସାକ୍ଷୀ ଓ ବିଭିନ୍ନ ସୂତ୍ରରୁ ସଂଗ୍ରହ କରିଥିବା ତଥ୍ୟକୁ ଆଧାର କରି ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ।

କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍

  • ନିର୍ବାଚନ ସମୟରେ ଟ୍ରାଫିକ ଡ୍ୟୁଟିରେ ଥିବାବେଳେ ନବ ଓ ତାଙ୍କ ସମର୍ଥକଙ୍କ ଗାଡି ଯାଞ୍ଚ କରିଥିଲେ ଗୋପାଳ
  • ଗାଡି ଯାଞ୍ଚକୁ ନେଇ ଗୋପାଳ ଓ ନବଙ୍କ ସମର୍ଥକଙ୍କ ମଧ୍ୟରେ ବଚସା ହୋଇଥିଲା 
  • ସେହି ସମୟରେ ଗୋପାଳଙ୍କୁ ଧମକାଇବା ସହ ଗାଳି ଗୁଲଜ କରିଥିଲେ ନବ
  • ସେ ରହୁଥିବା ଘରର ଗେଟ୍ ସମ୍ମୁଖରେ ଆସି ନବଙ୍କ ସମର୍ଥକମାନେ ହୋ ହାଲ୍ଲା କରିଥିଲେ 
  • ତା ପରଠାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଭାବିଥିଲେ ଗୋପାଳ 
  • ନବଙ୍କୁ ହତ୍ୟା ପାଇଁ ଲଣ୍ଡା ହୋଇ ଶପଥ ନେଇଥିଲା ଅଭିଯୁକ୍ତ ଗୋପାଳ ଦାସ 
  • ସମ୍ବଲପୁର ସମଲେଇ ମନ୍ଦିର ଯାଇ ଶପଥ ନେଇଥିଲା

ନବଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜି ବୁଲୁଥିଲା । ବାରମ୍ବାର ଫେଲ ହୋଇଥିଲା । କିନ୍ତୁ ନବଙ୍କୁ ମାରିବା ପାଇଁ ସେ ତାଙ୍କ ସର୍ଭିସ ପିସ୍ତଲରେ ସବୁବେଳେ ଗୁଳି ଲୋଡ୍ କରି ରଖୁଥିଲେ । ଆଉ ସେଦିନ ଗୋପାଳ ଅତି ଯୋଜନାବଦ୍ଧ ଭାବେ ନବଙ୍କୁ ଗୁଳି କରି ହତ୍ୟା କରିଥିଲା ।

  • ଚାର୍ଜସିଟକୁ ନେଇ ରାଜନୀତି 
  • ବିରୋଧୀ ବିଜେପି ଓ କଂଗ୍ରେସର କଟାକ୍ଷ 

କ୍ରାଇମବ୍ରାଞ୍ଚ ପକ୍ଷରୁ ଏତେ ଦିନ ପରେ ଚାର୍ଜସିଟ୍ ଦାଖଲକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ବିଜେପି ସାଂସଦ ସୁରେଶ ପୂଜାରୀ ଚାର୍ଜସିଟକୁ ରଦ୍ଦି କାଗଜ ବୋଲି କହିଛନ୍ତି । ସେହିପରି ଚାର୍ଜସିଟକୁ ଅଧାପନ୍ତରିଆ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ  ।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଷଡଯନ୍ତ୍ର ରହିଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଏବଂ ଶାସକ ଦଳର କିଛି ପ୍ରମୁଖ ନେତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଥିଲେ । ଗୋପାଳ ୧୫ଦିନ ପୂର୍ବରୁ କାହା ସହ କଥା ହୋଇଥିଲା, ତାର କଲ୍ ଡିଟେଲ୍ସ ଯାଞ୍ଚ ପାଇଁ ଦାବି କରିଥିଲେ । କିନ୍ତୁ ହତ୍ୟାକାଣ୍ଡର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ସେମିତି କୌଣସି ସୂଚନା ଦେଇନାହିଁ ।