କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାରୀ କୁହାଯାଉଥିବା ଅଭିଯୁକ୍ତ ଗୋପାଳ ଦାସଙ୍କ ନେଇ ଆଜି ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋପାଳଙ୍କୁ ମାନସିକ ରୋଗୀ ବୋଲି ପରିବାର ଲୋକ ଦାବି କରୁଥିବାବେଳେ, କ୍ରାଇମବ୍ରାଞ୍ଚ ଅଧିକାରୀ ସେହି ଦିଗରେ ତଦନ୍ତ କରୁଥିବାବେଳେ, ତାଙ୍କ ଚାକିରି କାଳ ଭିତରେ ତାଙ୍କୁ ୪୫ ଥର ପୁରସ୍କୃତ କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଛି । ଯାହା ଏବେ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

Advertisment
  • ୪୫ଥର ମିଳିଥିଲା ପୁରସ୍କାର
  • ଥରେ ପାଇଥିଲା ପଦୋନ୍ନତି

ତେବେ ଏକଥା ଆମେ କହୁନୁ ବିଧାନସଭାରେ ନିଜେ ଏନେଇ କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଗୋପାଳ ଦାସର କ୍ୟାରିୟରକୁ ନେଇ ବିଜେପି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା । ଲିଖିତ ଉତ୍ତର ଦେଇ ସେ କହିଛନ୍ତି, ଗୋପାଳ ଦାସ, ଚାକିରି କାଳ ଭିତରେ ୯ଥର ଆର୍ଥିକ ପୁରସ୍କାର, ୧୮ ଥର ପ୍ରଶଂସା ପତ୍ର ଓ ୧୮ଥର ଜି.ଏସ. ମାର୍କ ପାଇଥିଲା ଆଉ ୨୦୦୯ରେ ଥରେ ପଦୋନ୍ନତି ପାଇଥିଲା । ଜୁଲାଇ ୮ ତାରିଖ ୧୯୯୨ ମସିହାରେ ବ୍ରହ୍ମପୁରରେ ପୋଲିସ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲା । ୨୦୦୯ ମସିହାରେ ଏ.ଏସ.ଆଇ ପଦବୀକୁ ପଦୋନ୍ନତି ପାଇ ଝାରସୁଗୁଡା ଜିଲ୍ଲାରେ ନିଯୁକ୍ତି ହୋଇଥିଲେ । ଝାରସୁଗୁଡା ବିଭିନ୍ନ ଥାନା ଓ ଫାଣ୍ଡିରେ ୧୩ ବର୍ଷ କାମ କରିଛି ଗୋପାଳ ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗୋପାଳ ଯେବେଠାରୁ ମାନସିକ ରୋଗରେ ପୀଡିତ ବୋଲି କୁହାଯାଉଛି, ତା ପରେ ବି ସେ ଏକାଧିକ ଥର ପୁରସ୍କୃତ ହୋଇଛି । ଭଲ କାର୍ଯ୍ୟ ପାଇଁ ୨୦୧୯ରେ ୩ଥର, ୨୦୨୦ରେ ଜିଏସ ମାର୍କ ପାଇଛି । ଅର୍ଥାତ ଯେଉଁ ସମୟରେ ମାନସିକ ରୋଗରେ ପୀଡିତ ହୋଇ ଗୋପାଳ ମେଡିିସିନ୍ ଖାଉଥିଲେ ବୋଲି କୁହାଯାଉଛି, ସେତିକିବେଳେ ସେ ଭଲ କାର୍ଯ୍ୟ ପାଇଁ ବିଭାଗରୁ ପୁରସ୍କୃତ ହୋଇଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।

ଦୀର୍ଘ ୧୩ବର୍ଷ ହେଲା ଗୋପାଳ ଝାରସୁଗୁଡାରେ ଚାକିରି କରୁଥିଲେ ବି ତା ସମ୍ପର୍କରେ ଗୁଇନ୍ଦା କି ପୋଲିସ ବିଭାଗ କେମିତି ଜାଣି ପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି । ସେହିପରି ପୁଣି ଥରେ ନବ ଦାସଙ୍କ ହତ୍ୟା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିବା ସହ ବିଧାନସଭାରେ ଉଠାଇଛି କଂଗ୍ରେସ । ତେବେ ବିରୋଧୀ ଅନ୍ଧାରରେ ବାଡି ବୁଲାଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ । ତେବେ ଗୋଟିଏ ପଟେ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଅନ୍ୟପଟେ ଗୋପାଳ ମାନସିକ ରୋଗୀ କି ନାହିଁ ତାହା ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । କିନ୍ତୁ ଯେଉଁ ଗୋପାଳ ଭଲ କାମ ପାଇଁ ଏତେ ପୁରସ୍କାର ପାଇଥିଲା ସେ କେମିତି ପାଗଳ ହୋଇପାରେ ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।