ଆଉ ୪ ଦିନ ରିମାଣ୍ଡରେ ଯିବ ଗୋପାଳ ଦାସ । କ୍ରାଇମବ୍ରାଞ୍ଚକୁ ଅନୁମତି ପ୍ରଦାନ କଲେ ଝାରସୁଗୁଡା ଜେଏମଏଫସି କୋର୍ଟ । 

127

କନକ ବ୍ୟୁରୋ: ଆଉ ୪ ଦିନ ରିମାଣ୍ଡରେ ଯିବ ଗୋପାଳ । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତକୁ ଆଉ ଚାରି ଦିନ ରିମାଣ୍ଡରେ ନେବା ପାଇଁ ଝାରସୁଗୁଡା ଜେଏମଏଫସି କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ତେବେ କ୍ରାଇମବ୍ରାଞ୍ଚ ୯ ଦିନ ପାଇଁ ଗୋପାଳକୁ ରିମାଣ୍ଡରେ ନେବାକୁ ଅନୁମତି ମାଗିଥିଲା । ହେଲେ କୋର୍ଟ କେବଳ ୪ ଦିନ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ୪ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଥିଲା । ପ୍ରଥମ ରିମାଣ୍ଡର ଶେଷ ଦିନରେ ଗୋପାଳ କ୍ରାଇମବ୍ରାଞ୍ଚକୁ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ଜଣାପଡିଛି । ସୂଚନା ଅନୂୁସାରେ ତିନି ଦିନ କ୍ରାଇମବ୍ରାଞ୍ଚ ଏଡିଜି ଜେରା କରିବାବେଳେ ଗୋପାଳ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି  । ଯାହାକୁ ଆଧାର କରି ତଦନ୍ତ କରୁଛନ୍ତିି ତଦନ୍ତକାରୀ ଟିମ୍ । ଗୋପାଳର କଥା ଅନୁସାରେ ପାଇଖାନା ଟାଙ୍କି ଖୋଳି ଚିରା ଚିଠି ବାହାର କରିଥିଲା । ଗତକାଲି ଗୋପାଳ ରହୁଥିବା ସରକାରୀ କ୍ୱାଟର୍ସକୁ ଯାଇ ଯାଞ୍ଚ କରିଥିଲା ।

ଏହାପରେ ମଧ୍ୟ ଆହୁରି ଅନେକ ତଥ୍ୟ ରହସ୍ୟରେ ରହିଥିବାରୁ ପୁଣି ଗୋପାଳଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । ଗତ ୧ ତାରିଖରୁ ଗୋପାଳଙ୍କୁ ରିମାଣ୍ଡରେ ଆଣିଥିଲା କ୍ରାଇମ୍ବ୍ରାଞ୍ଚ । ରିମାଣ୍ଡ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ହେଲେ ଏଯାଏଁ ହତ୍ୟାର କାରଣ କ’ଣ ତାହା ଜଣାପଡ଼ିନାହିଁ । ସେହିପରି ଗୋପାଳ ଦାସଙ୍କୁ କ୍ରାଇମ୍ ସ୍ପଟକୁ ନେଇ କ୍ରାଇମସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ ।