କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳିକରି ହତ୍ୟା କଲା ଅଭିଯୁକ୍ତ, ଏହି ଗୁମର ଜାଣିବା ପାଇଁ ଦୁଇ ସପ୍ତାହ ଧରି କସରତ କରୁଛି କ୍ରାଇମବ୍ରାଂଚ । କିନ୍ତୁ ଏପର୍ଯ୍ୟନ୍ତ କୌଣସି ନିର୍ଷ୍କସରେ ପହଁଚି ପାରିନାହିଁ ତଦନ୍ତକାରୀ ଟିମ୍ । ୩ ଦଫାରେ ରିମାଣ୍ଡରେ ନେବା ପରେ ଏବେ ନାର୍କୋ ଟେଷ୍ଟ ରିପୋର୍ଟ ହିଁ ସବୁଠୁ ବଡ଼ ଭରସା ପାଲଟିଛି ।

Advertisment

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଗୋପାଳ ଦାସ, ନାର୍କୋ ଟେଷ୍ଟ ବେଳେ ଯାହା ବୟାନ ଦେଇଛି, ତାହା ସମସ୍ତଙ୍କୁ ଚମକାଇ ଦେବା ଭଳି । ଗୋପାଳ କୁଆଡ଼େ କହିଛି –

ମନ୍ତ୍ରୀଙ୍କ ଉପରେ ରାଗ ସୁଝାଇବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଥିଲା
କାଳେ ରାଗ କମିଯିବ, ସେଥିପାଇଁ ଦୁଇ ମାସ ଧରି ଔଷଧ ଖାଇନଥିଲା
ଫଳରେ ରାଗ କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଥିଲା

ଗୋପାଳ, ବାଇପୋଲାର ଡିଜଅର୍ଡରରେ ଆକ୍ରାନ୍ତ ଥିଲା ଏବଂ ଏଥିପାଇଁ ଔଷଧ ଖାଉଥିଲା ବୋଲି ପରିବାର ଲୋକ କହିଥିଲେ । ଏବେ ଯେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଏତିକି ଦର୍ଶାଉଛି ଯେ କୌଣସି କାରଣ ପାଇଁ ନବ ଦାସଙ୍କ ଉପରେ ତା’ର ବ୍ୟକ୍ତିଗତ ରାଗ ଥିଲା । କିନ୍ତୁ କାହିଁକି ଏତେ ରାଗିଥିଲା, ସେ ନେଇ କିଛି ତଥ୍ୟ ମିଳିନାହିଁ ।

ନାର୍କୋ ଟେଷ୍ଟରେ ଗୋପାଳ କଣ କହିଲା, ଏ ନେଇ କ୍ରାଇମବ୍ରାଂଚ ପକ୍ଷରୁ ଆଧିକାରିକ ଭାବେ କିଛି କୁହାଯାଇନାହିଁ । କିନ୍ତୁ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଅବଚେତନ ଅବସ୍ଥାରେ ସମସ୍ତଙ୍କୁ ଚମକାଇ ଦେବା ଭଳି କିଛି କଥା କହିଛି ଅଭିଯୁକ୍ତ । ଯାହାକୁ ତର୍ଜମା କରୁଛି କ୍ରାଇମବ୍ରାଂଚ ।

କ୍ରାଇମବ୍ରାଂଚର ପଚରାଉଚରା ସମୟରେ ଅଭିଯୁକ୍ତ ଗୋପାଳ ବାରମ୍ବାର ବୟାନ ବଦଳାଉଥିବାରୁ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରି ସତ-ମିଛ ପରୀକ୍ଷା କରାଯାଇଛି । ଗୁଜରାଟ ଗାନ୍ଧୀନଗର ସ୍ଥିତ ଡିଏଫ୍ଏସରେ ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ ଟେଷ୍ଟ କରିଥିବା ଟିମ୍ କ୍ରାଇମ୍ବ୍ରାଂଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ । ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା । କୁହାଯାଉଛି, ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି । ନାର୍କୋ ଟେଷ୍ଟ ରିପୋର୍ଟ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯିବ ।

ନାର୍କୋ ଟେଷ୍ଟ ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । ତେଣୁ ସତ-ମିଛ ପରୀକ୍ଷାରୁ ଯେଉଁ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଛି, ତା’ର ପ୍ରମାଣ ଖୋଜିବାକୁ ଉଦ୍ୟମ କରିବ ତଦନ୍ତକାରୀ ଟିମ୍ । କୁହଯାଉଛି, ଆଜି ରାତିରେ ଅଭିଯୁକ୍ତକୁ ଝାରସୁଗୁଡ଼ା ଫେରାଇ ଅଣାଯିବ ।

ନାର୍କୋ ଟେଷ୍ଟ ପରେ ଓଡିଶା ଫେରୁଛି ଗୋପାଳ ଦାସ । ଝାରସୁଗୁଡାରେ ପହଁଚିବା ପରେ ମିଳିଥିବା ତଥ୍ୟ ଆଧାରରେ ପୁଣି ତାକୁ ପଚରାଉଚୁରା କରିପାରେ କ୍ରାଇମବ୍ରାଂଚ । ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଆସନ୍ତାକାଲି ଝାରସୁଗୁଡା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି । ତେବେ ଆଉ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଂଚ ଆବେଦନ କରିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।