କୋର୍ଟରେ ହାଜର ହେଲା ଗୋପାଳ ଦାସ, ବିଚାରପତିଙ୍କ ଆଗରେ ଦୋଷ ମାନିଲା

640

କନକ ବ୍ୟୁରୋ: ବହୁଚର୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା ଜିଲ୍ଲା ଜଜ୍ କୋର୍ଟରେ ହାଜର କଲା ପୋଲିସ । ଚାର୍ଜଫ୍ରେମ ପାଇଁ ଚୌଦ୍ୱାର ଜେଲରୁ ଗୋପାଳଙ୍କୁ ଆଣି ଝାରସୁଗୁଡା କୋର୍ଟରେ ହାଜର କରାଯାଇଛି । ଏହି ସମୟରେ କୋର୍ଟ ରୁମରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଚାରପତିଙ୍କ ଆଗରେ କାଠଗଡାରୁ ପାଟି କରି ଗୋପାଳ ଦାସ ଦୋଷ ମାନି ଦଣ୍ଡାଦେଶ ମାଗିଥିଲା ।

କୋର୍ଟ ରୁମରେ କଣ କହିଲା ଗୋପାଳ?
ଜଜ୍- ଆପଣ ଓକିଲ କାହାକୁ ଦେଇଛନ୍ତି?
ଗୋପାଳ- ମୁଁ ଓକିଲ ଦେଇନାହିଁ
ଜଜ୍- ତା’ ହେଲେ ସରକାରଙ୍କ ତରଫରୁ ଜଣେ ଓକିଲ ଦେଉଛୁ । ଡିଫେନ୍ସ କାଉନସିଲ୍ଙ୍କ ତାଲିକାରୁ ନରେଶ ନାୟକଙ୍କୁ ଆପଣଙ୍କ ଓକିଲ ନିଯୁକ୍ତ କରାଗଲା । ମାମଲା ଅତିରିକ୍ତ ଜିଲ୍ଲା ସେସନ୍ସ କୋର୍ଟକୁ ଗଲା । ଅଗଷ୍ଟ ୯ତାରିଖରେ ଶୁଣାଣି ହେବ ।
ଗୋପାଳ- ମୁଁ ଦୋଷ ସ୍ୱୀକାର କରୁଛି
ଜଜ୍- ବର୍ତମାନ ଦୋଷ ସ୍ୱୀକାର କରିବାର ସମୟ ନୁହେଁ । ଯାହା କହିବ, ପରବର୍ତ୍ତି ଶୁଣାଣିରେ କହିବ

ସବୁଠୁ ବଡ କଥା ହେଉଛି କୋର୍ଟରେ କ୍ରାଇମବ୍ରାଞ୍ଚ କରିଥିବା ଚାର୍ଜସିଟକୁ କପୋଳକଳ୍ପିତ ବୋଲି କହିଛନ୍ତି ଆଇନଜୀବୀ । ମନ୍ତ୍ରୀ ନବଦାସଙ୍କୁ ହତ୍ୟା ପଛର ଉଦ୍ଦେଶ୍ୟ ନେଇ କୌଣସି ବଳିଷ୍ଠ ପ୍ରମାଣ ଦିଆଯାଇନାହିଁ । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ହେଲେ ପ୍ରତ୍ୟକ୍ଷ ପ୍ରମାଣ, ପାରିପାଶ୍ୱିର୍କ ପ୍ରମାଣ, ହତ୍ୟାର କାରଣ ଓ ଉଦ୍ଦେଶ୍ୟ ଗୁରୁତ୍ୱପୂର୍ଣ୍ଣ । ହେଲେ କ୍ରାଇମବ୍ରାଞ୍ଚର ଚାର୍ଜସିଟରେ ଏସବୁ ନାହିଁ କେବଳ ଆଈ ମାଆ କାହାଣୀ ରହିଛି ବୋଲି ଓକିଲ ସତ୍ୟନାରାୟଣ ବହିଦାର କହିଛନ୍ତି ।

ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ମନ୍ତ୍ରୀ ନବଦାସ ହତ୍ୟା ମାମଲାର ନ୍ୟାୟିକ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବିଚାରପତିଙ୍କ ଆଗରେ ଗୋପାଳ ଦୋଷ ସ୍ୱୀକାର କରିବା ଘଟଣାକୁ ନେଇ ଚର୍ଚ୍ଚା ବଢିଛି । ଆସନ୍ତା ୯ ତାରିଖରେ ମାମଲାର ପରବର୍ତି ଶୁଣାଣି ହେବ ।