କନକ ବ୍ୟୁରୋ: ଗୋପାଳର ନୂଆ ଠିକଣା ଏବେ ଚୌଦ୍ୱାର ଜେଲ୍ । ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ୱାରର ସର୍କଲ ଜେଲକୁ ଅଣାଯାଇଛି । ଝାରସୁଗୁଡ଼ା ଏସଡିଜେଏମ୍ କୋର୍ଟଙ୍କ ଅନୁମତି ପରେ ସ୍ଥାନୀୟ ସବଜେଲରୁ ଗୋପାଳକୁ ସ୍ଥାନାନ୍ତର କରାଯାଇଛି । ଆଉ ଗୋପାଳକୁ କଡ଼ା ସୁରକ୍ଷା ଭିତରେ ଏକ ସ୍ୱତନ୍ତ୍ର ଟିମ୍ ନେଇ ଚୌଦ୍ୱାର ଆସିଛନ୍ତି । ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ଏଏସଆଇ ଭାବେ ମୁତୟନ ଥିବା ଅଭିଯୁକ୍ତ ଗୋପାଳକୁ ଚୌଦ୍ୱାର ଜେଲ୍ ନମ୍ବର ୩ରେ ରଖାଯିବ । ତେବେ ଆଜି ରାତିରେ ଗୋପାଳକୁ ଜେଲର ମେଡିକାଲରେ ରଖାଯିବା ନେଇ ସୂଚନା ମିଳିଛି । ମେଡିକାଲରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ବୁଧବାର ତାକୁ ସେଲକୁ ପଠାଯିବ ବୋଲି ଜଣାପଡ଼ିଛି । ଚୌଦ୍ୱାର ଜେଲରେ ଗୋପାଳକୁ ୩ ଜଣ ସିକ୍ରୁ୍ୟରିଟି ଗାର୍ଡ ଜଗି ରହିବେ । ଆଉ ୨୪ ଘଂଟିଆ ସିସିଟିଭି ନଜରରେ ରହିବା ସହ ଗୋପାଳର ସବୁ ଗତିବିଧି ଉପରେ ନଜର ରଖାଯିବ । ଝାରସୁଗୁଡ଼ା ସବ୍ଜେଲରେ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି କୋର୍ଟଙ୍କ ଅନୁମତି ମିଳିବା ପରେ ଗୋପାଳକୁ ସ୍ଥାନାନ୍ତର କରାଯାଇଛି ।