ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ । ବିଜେପିର ଦାବି କଂଗ୍ରେସ ପାଖରେ ନାହିଁ ସଂଖ୍ୟା ଗରିଷ୍ଠତା, ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

359

୨୦୧୯ ନିର୍ବାଚନ ଫଳାଫଳକୁ ନେଇ ଏକଜିଟ୍ ପୋଲ ଆସିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ନୂଆ ମୋଡ ଆସିଛି । ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ରାଜ୍ୟପାଳଙ୍କୁ ଚିଠି ଲେଖି ପୁଣିଥରେ ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି । ଯେଉଁଥିରେ ମୁଖ୍ୟମନ୍ତ୍ରୀ କମଲନାଥ ପୁଣିଥରେ ନିଜର ବହୁମତ ସାବ୍ୟସ୍ତ କରିବାକୁ ଦାବି କରାଯାଇଛି । କାରଣ ଏବେ ଜନତାଙ୍କର ଭରସା କଂଗ୍ରେସ ଉପରୁ ଉଠିଯାଇଛି । ଏକଜିଟ୍ ପୋଲରେ ମଧ୍ୟ ଲୋକେ କଂଗ୍ରେସ ଠାରୁ ମୁହଁ ଫେରାଇ ନେଇ ବିଜେପିକୁ ଭୋଟ ଦେଇଛନ୍ତି ବୋଲି ଗୋପାଳ ଭାର୍ଗବ କହିଛନ୍ତି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ କହିଥିଲେ, ଯଦି କଂଗ୍ରେସ ସରକାର ଭାଙ୍ଗିବା ପାଇଁ ବିଜେପି କୌଣସି ଷଡଯନ୍ତ୍ର କରୁଥାଏ ତେବେ ଏଥିରେ ସଫଳ ହେବ ନାହିଁ । ତେବେ ବିଜେପି ନେତା ବାରମ୍ବାର ସଂକେତ ଦେଇ ଆସିଛନ୍ତି ଯେ, ଯଦି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଆସେ ତେବେ ମଧ୍ୟପ୍ରଦେଶରୁ କଂଗ୍ରେସ ସରକାର ବିଦା ହେବା ଏକପ୍ରକାର ନିଶ୍ଚିତ ।

ବିଜେପି ନେତା କୈଳାଶ ବିଜୟବର୍ଗୀୟ ନିର୍ବାଚନ ଶେଷ ହେବା ପୂର୍ବରୁ ବଡ ସଂକେତ ଦେଇଥିଲେ । ମଧ୍ୟପ୍ରଦେଶରେ କଂଗ୍ରେସ ୨୨ ସିଟରେ ବିଜୟୀ ହେବା ନେଇ କମଲନାଥଙ୍କ ବୟାନ ଉପରେ କୈଳାଶ କହିଥିଲେ, ଲୋକସଭା ନିର୍ବାଚନ ପରେ କଂଗ୍ରେସ ୨୨ ଦିନ ସରକାରରେ ରହିବ କି ନାହିଁ ତାହା ସନ୍ଦେହ । ସେହିଭଳି ବିଜେପି ନେତ୍ରୀ ଉମା ଭାରତୀ ବିଜେପିକୁ ଟାର୍ଗେଟ କରିବାକୁ ଯାଇ କହିଥିଲେ, ବିଜେପି ନୁହେଁ ବରଂ କଂଗ୍ରେସ ସରକାରକୁ ତାଙ୍କ ଦଳର ନେତା ହିଁ ଭାଙ୍ଗିଦେବେ । ଏବେ କଂଗ୍ରେସର କିଛି ବିଧାୟକ ବିଜେପି ସର୍ମ୍ପକରେ ରହିଛନ୍ତି ।