ଥାନା ବାବୁଙ୍କ ବେପରୁଆ ଅନ୍ଦାଜ : ସାମ୍ନାକୁ ଆସିଲା ଗୋପ ଥାନା ଆଇଆଇସିଙ୍କ ଅଡିଓ କ୍ଲିପ; ଏକ ହତ୍ୟା ଆକ୍ରମଣ ଘଟଣାରେ ସମ୍ପର୍କୀୟଙ୍କୁ କହିଲେ, ବର୍ଷେ ପରେ ବୁଝିବେ ଘଟଣା

226

କନକ ବ୍ୟୁରୋ : ଥାନା ବାବୁଙ୍କ ବେପରୁଆ ଅନ୍ଦାଜ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସି ଉପେନ୍ଦ୍ର ପ୍ରଧାନଙ୍କ ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତକୁ ଅନୁକମ୍ପା ଦେଖାଇ ଥାନା ବାବୁ କିଭଳି ବେପରୁଆ ପ୍ରତିକ୍ରିୟା ରଖୁଛନ୍ତି, ତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

ପୋଲିସ ପ୍ରଶାସନକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ଲୋକଙ୍କ ନିକଟତର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ତାକୁ କେତେ ଗୁରୁତ୍ୱ ଦେଉଛନ୍ତି ଥାନା ଅଧିକାରୀ ତାର ସତ ସାମ୍ନାକୁ ଆଣିଛି ଏହି ଫୋନ କଥାବାର୍ତା । ଗୋପ ଥାନା ଗଣେଶ୍ୱରପୁର ଅଂଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଦାଣ୍ଡରେ ଗୋଡାଇ ଗୋଡାଇ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଘଟଣାର ୪ ଦିନ ପରେ ବି ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ।

ତେବେ ତଦନ୍ତ କେତେବାଟ ଗଲା ବୋଲି ଥାନା ଆଇଆଇସିଙ୍କୁ ଫୋନ କରି ପଚାରିଛନ୍ତି ପୀଡିତଙ୍କ ଭାଇ ବାସୁଦେବ ମହାପାତ୍ର । ହେଲେ ତାଙ୍କୁ ଯାହା ପ୍ରତିକ୍ରିୟା ମିଳିଛି, ତାକୁ ଶୁଣିଲେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଓ ଭରସା ତୁଟିଯିବ । ଥାନା ବାବୁ କହୁଛନ୍ତି, ଆଜି ନହେଲେ କାଲି ବୁଝିବେ । କାଲି ନହେଲେ ପଅରଦିନ ବୁଝିବେ । ୪-୫ ଦିନ ନହେଲେ ମାସେ ପରେ ବୁଝିବେ । ଦେଢମାସ ଦୁଇମାସ ପରେ ବୁଝିବେ, ନ ହେଲେ ବର୍ଷେ ପରେ ବୁଝିବେ ।