କନକ ବ୍ୟୁରୋ : ଗୁଗୁଲର ମୂଳ କମ୍ପାନୀ ଆଲଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି । ମେଟ. ଅମାଜନ, ଟ୍ୱିଟର ପରେ ଆଲଫାବେଟ ବଡ ଧରଣର କର୍ମଚାରୀ ଛଟେଇ କରିବ । ଅନୁମାନ କରାଯାଉଛି କି କମ୍ପାନୀ ତାର ମୋଟ କର୍ମଚାରୀର ୬ ପ୍ରତିଶତ ଛଟେଇ କରିବାକୁ ଯୋଜନା ପ୍ରସ୍ତୁତ କରିଛି ।
ଏକ ରିପୋର୍ଟ ମୁତାବକ ଗୁଗୁଲ ଖରାପ ପ୍ରଦର୍ଶନ କରୁଥିବା କର୍ମଚାରୀ ଓ ପ୍ରଦର୍ଶନ ପ୍ରଗତି ପ୍ଲାନ ମୁତାବକ ଏହି ୧୦ ହଜାର କର୍ମଚାରୀ ଛଟେଇ କରିପାରେ । ଏହି କ୍ରମରେ ନୂଆ ପ୍ରଦର୍ଶନ ନିୟମ ମୁତାବକ ୨୦୨୩ ଆରମ୍ଭରେ ଏହି ଛଟେଇ ଆରମ୍ଭ ହେବାକୁ ଯାଉଛି ।
ସେପଟେ ପ୍ରଦର୍ଶନ ଆଧାରରେ ୧୦ ହଜାର କର୍ମଚାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାରେ ଭଲ ପ୍ରଦର୍ଶନ କରୁନଥିବା କର୍ମଚାରୀମାନେ ରହିଛନ୍ତି । ଆଲଫାବେଟ କମ୍ପାନୀରେ ପାଖାପାଖି ୧ ଲକ୍ଷ ୮୭ ହଜାର କର୍ମଚାରୀ କାମ କରୁଛନ୍ତି । ଆମେରିକା ସିକୁୃ୍ୟରିଟି ଆଣ୍ଡ ଏକ୍ସଚେଞ୍ଚ କମିଶନଙ୍କ ମୁତାବକ ଆଲ୍ଫାବେଟରେ କାମ କରୁଥିବା କର୍ମଚାରୀଙ୍କ ହାରାହାରି ଦରମା ୨,୯୫,୮୮୪ ଡଲାରରୁ ଅଧିକ ।
ସେପଟେ ଆମେରିକା ଅର୍ଥ ବ୍ୟବସ୍ଥା ଏବେ ମାନ୍ଦାବସ୍ଥାରେ ଚାଲିଛି । ଏହାସହ ଆଗକୁ ଏହା ଖରାପ ସ୍ଥିତିକୁ ଯାଇପାରେ ବୋଲି ଅର୍ଥନୀତିଜ୍ଞମାନେ ମତ ଦେଇଛନ୍ତି । ସେପଟେ ୨୦୨୨ ର ତୃତୀୟ ଭାଗରେ ଆଲଫାବେଟ କମ୍ପାନୀର ଲାଭ ୨୭ ପ୍ରତିଶତରୁ ଖସି ୧୩.୯ ଅରବ ଡଲାରରେ ପହଂଚିଛି ।