ସେନାରୁ ଚାକିରୀ ଛାଡି ଆରମ୍ଭ କରିଥିଲେ ଜେମିନ୍ ସର୍କସ । ୪୦ ଘୋଡା ଓ ୩୦ ସିଂହକୁ ସର୍କସରେ କରିଥିଲେ ସାମିଲ । ଜାଣନ୍ତୁ ଜେମିନ୍ ସର୍କସର ମାଲିକ ଶଙ୍କରନଙ୍କ କାହାଣୀ

3,365

କନକ ବ୍ୟୁରୋ : ଜେମିନି ଏବଂ ଜମ୍ବୋ ସର୍କସ । ୯୦ଦଶକ ପର୍ଯ୍ୟନ୍ତ ଘରେ ଘରେ ପରିଚିତ ଥିଲା ଏହି ସର୍କସ । ଏହାର ମାଲିକ ଦିବଙ୍ଗତ ଜେମିନି ଶଙ୍କରନ ସର୍କସ କରିବା ପୂର୍ବରୁ କେତେ ଯେ ସଂଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ୟବସାୟରେ ଭାଗ୍ୟ ପରୀକ୍ଷା ପରେ ସେନା ବାହିନୀ ଛାଡ଼ି ସର୍କସରେ ସଫଳ ହୋଇଛନ୍ତି ଶଙ୍କରନ । ତେବେ ଆସନ୍ତୁ ନଜର ପକାଇବା ତାଙ୍କ ସଂଘର୍ଷର ପୁରା କାହାଣୀ ଉପରେ..

ନିଜର ସର୍କସ ପାର୍ଟିରେ ୪୦ ସିଂହ, ୩୦ ଘୋଡ଼ା, ୨୦ ହାତୀ, ୧୫ ବାଘ, ୬ ଓଟ, ୩ଟି ଭାଲୁ, ୩ଟି ଜିରାଫ ଏବଂ ୨ଟି ସମୁଦ୍ର ସିଂହ ରଖିଥିଲେ । ଏମିତି ଲାଗୁଥିଲା ଯେମିତି ଆପଣ ନନ୍ଦନକାନରେ ଅଛନ୍ତି । ଏତେ ପଶୁଙ୍କୁ ଏକାସାଙ୍ଗରେ ଦେଖିବାକୁ ପାଉଥିଲେ ଲୋକେ । ଭାରତରେ ସର୍କସ ଦୁନିଆର ଗ୍ରାଣ୍ଡଫାଦର କୁହାଯାଏ । ତେବେ ଶଙ୍କରନଙ୍କ କଥା ଯଦି କହିବା ତାହେଲେ ସେ ୧୯୨୪ ଜୁନ୍ ୧୩ ତାରିଖରେ କେରଳର କନ୍ନୁର ଜିଲ୍ଲାରେ ଜନ୍ମ ହୋଇଥିଲେ । ଯେତେବେଳେ ଶଙ୍କରନ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ ସେବେଠାରୁ ସର୍କସ କରିବା ପାଇଁ ମନରେ ଆଶା ପ୍ରକଟ କରିଥିଲେ । କିଟୋନି ସର୍କସ ଦେଖିବାକୁ ଯାଇଥିବାବେଳେ ସେ ପ୍ରଭାବିତ ହୋଇଥିଲେ । କିନ୍ତୁ ବାପାଙ୍କୁ ଏହି କଥା କହିବା ପାଇଁ ଡରିଥିଲେ । ଯେତେବେଳେ ସେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ ସେତେବେଳେ ବାପାଙ୍କୁ କହିଥିଲେ କି, ଏକ୍ରୋବେଟିସ ଶିଖିବାକୁ ଚାହୁଁଛନ୍ତି । ପୁଅର କଥା ଶୁଣିବା ପରେ ବାପା ତାଙ୍କୁ ପଢ଼ାଇବା ସ୍ଥିର କରିଥିଲେ । ୧୯୩୭ ମସିହାରେ ମାର୍ଶଲ ଆର୍ଟ ଏବଂ ଏକ୍ରୋବେଟିକ୍ସ ଶିଖିବା ଆରମ୍ଭ କରିଥିଲେ । ଆଉ ୩ ବର୍ଷ ପରେ ଥଲାସୋରୀ କୁନିକ୍କାନାନଙ୍କଠାରୁ ସର୍କସ ଶିଖିବା ଆରମ୍ଭ କରିଥିଲେ ।

ତେବେ ସର୍କସ ଶିଖିବା ପରେ ମଧ୍ୟ ଏଥିରେ ସଫଳ ହେବାର ବିଶ୍ୱାସ ଆସିନଥିଲା । ଯେଉଁଥିପାଇଁ ପ୍ରଥମେ ଏକ ବ୍ୟବସାୟ ଆରମ୍ଭ କରିଥିଲେ ଏଥିରେ ବଡ଼ଧରଣର କ୍ଷତି ସହିଥିଲେ । ପରେ ୧୯୪୨ରେ ସେନାରେ ଯୋଗ ଦେଇଥିଲେ । କିନ୍ତୁ ଏଥିରେ ତାଙ୍କ ମନ ବୁଝିନଥିଲା । ଶେଷରେ ୧୯୪୬ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯେତେବେଳେ ଫେରିଥିଲେ ସେତେବେଳେ ତାଙ୍କ ସର୍କସ ଗୁରୁଙ୍କ ମୃତ୍ୟୁ ହୋଇଯାଇଥିଲା । ପରେ ଶିଷ୍ୟ ଏମ.କେ.ରମନଙ୍କଠାରୁ ସର୍କସ ଶିଖିଥିଲେ । ୧୯୪୮ରେ କୋଲକାତାର ବାସଁ ଲାୟନ ସର୍କସରେ କାମ କରିବା ଆରମ୍ଭ କରିଥିଲେ । ଯେଉଁଠାରେ ତାଙ୍କର ଦରମା ୩ଶହ ଟଙ୍କା ଥିଲା । ପରେ ଏଠାରୁ ଯାଇ ନ୍ୟାନାଲ ସର୍କସ ଏବଂ ରାମନ ସର୍କସରେ ୫ ବର୍ଷ କାମ କରିଥିଲେ । ପରେ ମନରେ ଭାବିଥିଲେ କି, ନିଜେ ଏକ ସର୍କସ ପାର୍ଟି କରିବା ପାଇଁ । ୧୯୫୧ରେ ଶଙ୍କରନଙ୍କ ସ୍ୱପ୍ନ ପୂରଣ ହୋଇଥିଲା । ମହାରାଷ୍ଟ୍ରର ବିଜୟ ସର୍କସକୁ ୬ ହଜାର ଟଙ୍କାରେ କିଣିଥିଲେ । ନିଜର ରାଶି ଅନୁସାରେ ନାମକୁ ମଧ୍ୟ ରଖିଥିଲେ । ୧୯୫୧ ଅଗଷ୍ଟ ୧୫ ତାରିଖରେ ପ୍ରଥମ ସର୍କସ ଗୁଜୁରାଟର ବିଲିମୋରାରେ ପଡ଼ିଥିଲା । ସେତେବେଳେ ଶଙ୍କରଙ୍କୁ ୨୭ ବର୍ଷ ବୟସ ହୋଇଥିଲା । ପ୍ରଥମେ ସେ କିଛି ପଶୁଙ୍କୁ ରାଜା ପରିବାର ପାଖରୁ କିଣିଥିଲେ ଆଉ କିଛି ରାଜାଙ୍କ ଅମଳ ଶେଷ ହେବାକୁ ଥିବାବେଳେ ସେମାନେ ଦାନ କରିଥିଲେ । ଏପରିକି ଅନେକ ପଶୁ ମଧ୍ୟ ବିଦେଶରୁ କିଣିଥିଲେ ଶଙ୍କରନ । ୧୯୬୪ ମସିହାରେ ୟୁଏସଏସଆରରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସର୍କସ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତୀୟ ସର୍କସଙ୍କ ମଧ୍ୟରେ କେବଳ ଜେମିନି ସର୍କସ ଭାଗ ନେଇଥିଲା । ବଲିଉଡ ଫିଲ୍ମ ‘ମେରା ନାମ ଜୋକର’ ଜେମିନି ସର୍କସରୁ ଅନୁପ୍ରାଣିତ ହୋଇଥିବାବେଳେ ବଡ଼ ବଡ଼ ରାଜନେତାମାନେ ମଧ୍ୟ ଏହା ଉପଭୋଗ କରିଛନ୍ତି । ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ମୋରାଜୀ ଦେଶାଇ ପ୍ରମୁଖ ଜେମିନି ସର୍କସ ଦେଖିବାକୁ ମଧ୍ୟ ଯାଉଥିଲେ । ୧୯୭୭ ମସିହାରେ ଦେଶର ସବୁଠାରୁ ବଡ଼ ସର୍କସ କମ୍ପାନୀ ହୋଇଥିଲା । ପରେ ସେହିବର୍ଷ ଗାନ୍ଧୀ ଜୟନ୍ତୀ ଅବସରରେ ଦ୍ୱିତୀୟ ସର୍କସ ପାର୍ଟି ଜମ୍ବୁ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଦି ଗ୍ରେଟ୍ ସର୍କସ ଆରମ୍ଭ କରିଥିଲେ । ୧୯୯୯ ମସିହାରେ ଜେମିନି ଶଙ୍କରନ ସର୍କସ କମ୍ପାନୀର ମାଲିକ ପଦରୁ ଇସ୍ତଫା ଦେଇଥିଲେ । ପରେ ତାଙ୍କ ପୁଅ ଚଳାଇଥିଲେ ।

ସବୁଠାରୁ ବଡ଼ କଥା ହେଉଛି କି, ୧୯୯୮ ମସିହାରୁ ଭାରତ ସରକାର ସର୍କସରେ ପଶୁଙ୍କୁ ନେଇ ସୋ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଯାହାଫଳରେ ଲୋକଙ୍କ ସର୍କସ ଦେଖିବାର ରୁଚି ଧିରେ ଧିରେ କମିବାରେ ଲାଗିଥିଲା । ପରେ ସର୍କସ ଦେଖାଉଥିବାବେଳେ କଳାକାରଙ୍କ ପ୍ରାଣ ମଧ୍ୟ ଚାଲିଯାଉଥିଲା । ବିଶ୍ୱର ବିଭିନ୍ନ ସ୍ଥାନରେ ସର୍କର୍ସ ଚାଲୁଥିବାବେଳେ କଳାକାରଙ୍କ ପ୍ରାଣହାନୀ ଖବର ବଢ଼ିବାରେ ଲାଗିଥିଲା । ଯେଉଁ କାରଣରୁ ୨୦୧୩ ରେ ଏଥିରେ କାମ କରୁଥିବା କଳାକାରଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଥିଲା । ଜେମିନି ଶଙ୍କରନଙ୍କ ସର୍କସ ପାଟି କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ସୋ ଦେଖାଇଛି । ଆଉ ଅନେକ ନାଁ ମଧ୍ୟ କମେଇଛି । ଭାରତର ତକ୍ରାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ତାଙ୍କ ଟେଲିଗ୍ରାମ ପାଇବା ପରେ ବିହାର ସେ ସରିବା ପରେ ପଶୁମାନଙ୍କୁ ଆଣିବା ପାଇଁ ଟ୍ରେନର ବ୍ୟବସ୍ଥା କରିଥିଲେ । ଏଭଳି ଅନେକ ସର୍କସ ସହ ଜଡ଼ିତ ଜେମିନି ଶଙ୍କରନଙ୍କ ଅନେକ କାହାଣୀମାନ ଭିତରେ ଶେଷ ହୋଇଛି ଶଙ୍କରନଙ୍କ ଜୀବନ କାହାଣୀ । ।