ଅସହାୟକଙ୍କ ଆଶାବାଡି ‘ପୁଷ୍ପାଞ୍ଜଳି’। ସାଇକେଲ ଚଢି ଗାଁ ଗାଁ ବୁଲି କରୁଛନ୍ତି ରୋଗୀ ସେବା। ‘ମାନବ ସେବା ହିଁ ମାଧବ ସେବା’କୁ ଜୀବନର ବ୍ରତ କରି ନିଜ କର୍ତ୍ତବ୍ୟ ପଥରେ ଚାଲିଛନ୍ତି ଆଗେଇ

330

କନକ ବ୍ୟୁରୋ: ମାନବ ସେବା ହିଁ ମାଧବ ସେବା ଆଉ ଏହାକୁ ଜୀବନର ବ୍ରତ ଭାବି ନିଜ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛନ୍ତି ଜଳେଶ୍ୱରର ପୁଷ୍ପାଂଜଳି ଟୁଡୁ । ଯେଉଁଠି କୃଷ୍ଠରୋଗୀମାନଙ୍କୁ ଅଛୁଆଁ ବୋଲି କହି ଲୋକେ ତାଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖିଥିବା ବେଳେ ସେଠି କିନ୍ତୁ ଏମାନଙ୍କର ସେବା କରି ହିଁ ଆତ୍ମସନ୍ତୋଷ ପାଉଛନ୍ତି ପୁଷ୍ପାଂଜଳି । ଆଉ ତାଙ୍କର ଏହି କାମ ଆଜି ତାଙ୍କୁ କରିଦେଇଛି ଅନ୍ୟମାନଙ୍କଠାରୁ ଭିନ୍ନ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ପୁଷ୍ପାଂଜଳି ଟୁଡୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କଠାରୁ ପାଇଛନ୍ତି କୁଷ୍ଠ ସେବିକା ସମ୍ମାନ । ପିଲାଟି ଦିନରୁ ତାଙ୍କର ସ୍ୱପ୍ନ ଥିଲା ରୋଗୀ ସେବା କରିବା ଆଉ ତାହାହିଁ ଆଜି ତାଙ୍କୁ ଏହି ସମ୍ମାନର ଅଧିକାରୀଣୀ କରେଇ ପାରିଛି । ତେବେ ରୋଗୀ ସେବା କରିବା ତାଙ୍କର ପେଶା ଆଉ ନିଶା କହିଲେ କିଛି ଭୁଲ ମଧ୍ୟ ହେବନି । ରୋଗୀଙ୍କ ସେବା କରିବାର ଝୁଙ୍କ ଏମିତି ଯେ ସାଇକେଲ ଖଣ୍ଡେ ଧରି ଗାଁ ଗାଁ ବୁଲି ରୋଗୀ ସେବା କରୁଛନ୍ତି ପୁଷ୍ପାଂଜଳି ।

ପୁଷ୍ପାଂଜଳି ଥିଲେ ଜଣେ ମେଧାବୀ ଛାତ୍ରୀ । ହେଲେ ଘରର ଆର୍ଥିକ ପରିସ୍ଥିତି ତାଙ୍କୁ ଅଧାରୁ ପାଠପଢା ଛାଡିବାକୁ ବାଧ୍ୟ କରିଥିଲା । ମାତ୍ର ସେ ଭଲ ପାଠ ପଢୁଥିବାରୁ ତତକାଳୀନ ଡାକ୍ତର ମିହିର କୁମାର ପ୍ରଧାନ ତାଙ୍କୁ ୧୯୮୭ରେ ନିଜ ଡାକ୍ତରଖାନାରେ ରୋଗୀ ସେବା ପାଇଁ ନିଯୁକ୍ତି ଦେଲେ । ଆଉ ସେବେଠାରୁ ଆଜି ପର୍ଯ୍ୟନ୍ତ ପୁଷ୍ପାଂଜଳି ପୂରା ଏକାଗ୍ରତାର ସହ କରିଆସୁଛନ୍ତି ରୋଗୀ ସେବା । ଏପରିକି ତାଙ୍କ ହାତ ସ୍ପର୍ଶରେ ବହୁ କୁଷ୍ଠ ରୋଗୀ ଭଲ ହୋଇ ଘରକୁ ଫେରିଥିବା ମଧ୍ୟ ନଜୀର ରହିଛି । ଡାକ୍ତର ମିହିର ପ୍ରଧାନଙ୍କ ମୃତ୍ୟୁ ପରେ ବି ପୁଷ୍ପାଂଜଳୀ ନିଜ କର୍ତ୍ତବ୍ୟରୁ ତିଳେ ମାତ୍ର ଅବହେଳା କରିନାହାଁନ୍ତି । ପୁଷ୍ପାଂଜଳିଙ୍କ ଏଭଳି ସେବାମନବୃତି ପାଇଁ ତାଙ୍କୁ ଜଳେଶ୍ୱର ହାତିଗଡ ଡାକ୍ତରଖାନା ଅଧିନରେ ୨୦୦୭ରେ ଆଶାକର୍ମୀ ଭାବେ ନିଯୁକ୍ତି କରାଯାଇଛି ।

ତେବେ ଶ୍ରଦ୍ଧା ଏବଂ ଭଲ ପାଇବା ଦେଲେ ଜଣେ କୁଷ୍ଠ ରୋଗୀ ଭଲ ହୋଇପାରିବ କହିଛନ୍ତି ପୁଷ୍ପାଂଜଳି । ତାଙ୍କର ଏଭଳି ସେବା ପାଇଁ ତାଙ୍କୁ ଜଳେଶ୍ୱରର ମଦରଟେରେସା ବୋଲି କହିଛନ୍ତି ସ୍ଥାନୀୟବାସୀନ୍ଦା ।