କଳିଯୁଗର କୃଷ୍ଣ-ସୁଦାମା…ବନ୍ଧୁ ପାଇଁ ସମର୍ପିତ ବନ୍ଧୁର ଜୀବନ । ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୯ ବର୍ଷ ହେଲା ରୋଗୀଣା ସାଙ୍ଗର ସେବା କରୁଛନ୍ତି ଧନଞ୍ଜୟ

587

କନକ ବ୍ୟୁରୋ: ବର୍ଷେ କି ଦୁଇ ବର୍ଷ ନୁହେଁ । ଦୀର୍ଘ ୯ବର୍ଷ ଧରି ରୋଗୀଣା ବନ୍ଧୁର ସେବା କରି ଆସୁଛନ୍ତି ଆଉ ଜଣେ ବନ୍ଧୁ । ଆଉ ଏହି ଦୁଇ ବନ୍ଧୁଙ୍କ ସଂପର୍କ ସତେ ଯେପରି କଳିଯୁଗର କୃଷ୍ଣ ଓ ସୁଦାମାଙ୍କ ପରି । ବନ୍ଧୁଙ୍କ ପାଇଁ ସମର୍ପିତ ଆଉ ଜଣେ ବନ୍ଧୁର ଜୀବନ । ସ୍କୁଲ ବେଳର ସାଙ୍ଗ ପାଇଁ ନିଜ ଜୀବନଜୀବିକାକୁ ବି ବାଜି ଲଗାଇ ଦେଇଛି ଆଉ ଜଣେ ସାଙ୍ଗ । ଉଭୟ ଗୋଟିଏ ସ୍କୁଲରେ ପାଠପଢୁଥିଲେ ଏବଂ ଏକାଠି ଖେଳୁଥିଲେ ହେଲେ ଭାଗ୍ୟର ବିଡମ୍ବନା ଦେଖ ଦୁଇ ବନ୍ଧୁଙ୍କ ଭିତରୁ ଜଣେ ଏବେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛନ୍ତି । ହେଲେ ଏଭଳି ପରିସ୍ଥିତିରେ ବି ଦୁଇ ବନ୍ଧୁଙ୍କ ଭିତରେ ଅତୁଟ ରହିଛି ସେହି ପିଲା ଦିନର ପୁରୁଣା ସଂପର୍କ । ଆଉ ରୋଗୀଣା ବନ୍ଧୁକୁ ଭଲ କରିବାକୁ ନିଜର ସବୁ ପୁଂଜିକୁ ଖର୍ଚ୍ଚ କରିବାକୁ ବି ପଛେଇ ନାହାନ୍ତି ବନ୍ଧୁ ଜଣକ । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଛତିଆ ଅଂଚଳରେ ।

ବଡଚଣା ବ୍ଲକ ଅନ୍ତର୍ଗତ ଚମ୍ପାପୁର ପଂଚାୟତ ଏକଡାଳିଆ ଗାଁର ନୃସିଂହ ଚରମ ସାହୁ ଓ ସେହି ପଂଚାୟତ ସପନପୁର ଗାଁର ଧନଞ୍ଜୟ ସ୍ୱାଇଁ ଉଭୟ ସ୍କୁଲ ବେଳର ବନ୍ଧୁ । ନୃସିଂହ ଆଜିକୁ ୯ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ । ଯାହା ଫଳରେ ତାଙ୍କର ଦୁଇଟି କିଡନୀ ନଷ୍ଟ ହୋଇଯାଇଛି ଆଉ ବଂଚିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ହେଲେ ଏଭଳି ପରିସ୍ଥିତିରେ ବି ବନ୍ଧୁର ହାତ ଛାଡି ନାହାନ୍ତି ବନ୍ଧୁ । ନୃସିଂହଙ୍କଠାରେ ଏହି ରୋଗ ଦେଖାହେବା ଦିନଠାରୁ ଧନଞ୍ଜୟ ସହାୟତା କରିବା ସହ ସେବା ମଧ୍ୟ କରିଆସୁଛନ୍ତି । ଏପରିକି ନୃସିଂହଙ୍କର ଚିକିତ୍ସା କଟକର ଏକ ଘରୋଇ ହସ୍ପିଟାଲରେ ମଧ୍ୟ କରାଉଛନ୍ତି ଧନଞ୍ଜୟ ।

ସପ୍ତାହରେ ଦୁଇଥର ଡାଏଲାସିସ କରାଯାଉଛି ଆଉ ଔଷଧ ସହ ଏଥିପାଇଁ ଯାହା ସବୁ ଖର୍ଚ୍ଚ ହେଉଛି ସବୁ ବହନ କରୁଛନ୍ତି ଧନଞ୍ଜୟ । କିନ୍ତୁ କିଡନୀ ପ୍ରତ୍ୟାରୋପଣ ପାଇଁ ସେ ଚେଷ୍ଟା କରୁଥିଲେ ବି ଓ-ପ୍ଲସ ବ୍ଲଡ ଗ୍ରୁପର କିଡନୀ ମିଳିପାରି ନଥିବାରୁ ନୃସିଂହଙ୍କ କିଡନୀ ପ୍ରତ୍ୟାରୋପଣ ହୋଇପାରୁନାହିଁ । ଦୀର୍ଘ ୯ ବର୍ଷ ଧରି ନିସ୍ୱାର୍ଥପର ଭାବରେ ବନ୍ଧୁର ଜୀବନ ପାଇଁ ସଂଘର୍ଷ କରୁଥିବା ଧନଂଜୟଙ୍କୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଉଛି । ନୃସିଂହଙ୍କୁ ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ଅଂଚଳବାସୀ ।