ରାସ୍ତାରୁ ଆଇଫୋନ ପାଇଲେ…ଅସଲି ମାଲିକଙ୍କୁ ଫେରାଇଲେ : ସାଧୁତାର ପରିଚୟ ଦେଲେ ଓଡିଆ ଯୁବକ

175

କନକ ବ୍ୟୁରୋ : ରାସ୍ତାରୁ ଆଇଫୋନ ପାଇଲେ, ଖୋଜି ଖୋଜି ଅସଲି ମାଲିକକୁ ଫୋନ୍ ଫେରାଇଲେ ଯୁବକ । ଆଇଫୋନ ପାଇ ବି ଲୋଭର ବଶବର୍ତ୍ତୀ ନ ହୋଇ ନିଜ ସାଧୁତାର ପରିଚୟ ଦେଇ ପ୍ରଶଂସା ସାଉଁଟିଛନ୍ତି ଜଣେ ଓଡ଼ିଆ ଯୁବକ । ସୁଦୂର ତାମିଲନାଡୁରେ ଏକ କମ୍ପାନୀରେ କାର୍ଯ୍ୟରତ ଓଡ଼ିଆ ଯୁବକ ସୂର୍ଯ୍ୟକାନ୍ତ ବିଶ୍ୱାଳ କାର୍ଯ୍ୟରୁ ଫେରୁଥିବା ବେଳେ ରାସ୍ତାରେ ଏକ ଆଇଫୋନ ପାଇଥିଲେ । ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ବୋଲି ସେ ଜାଣିପାରିଥିଲେ ।

ଫୋନଟିକୁ ନିଜ ପାଖରେ ନ ରଖି ସେ ପୁଲିସ ଷ୍ଟେସନ ଯାଇ ଜିମା ଦେବାକୁ ଚାହିଁଥିଲେ । ଆଉ ପୁଲିସ ଷ୍ଟେସନ ଯିବା ବାଟରେ ଜଣେ ବ୍ୟକ୍ତି ଅତ୍ୟନ୍ତ ବ୍ୟସ୍ତତାର ସହିତ ମୋବାଇଲ ଖୋଜୁଥିବାର ଦେଖିବାକୁ ପାଇଥିଲେ । ଏହା ପରେ ଉପଯୁକ୍ତ ପ୍ରମାଣ ନେଇ ସେ ସେହି ବ୍ୟକ୍ତିଙ୍କୁ ଆଇଫୋନ ଫେରାଇ ଦେଇଛନ୍ତି । ନିଜର ବହୁ ମୂଲ୍ୟ ଆଇଫୋନ ପାଇବା ପରେ ଖୁସି ହୋଇ ସେ ଲୋକ ପଇସା ଦେବାକୁ କହିବାରୁ ଓଡ଼ିଆ ଯୁବକ ପଇସା ନେବାକୁ ମନା କରିଥିଲେ ।

ଚାନ୍ଦବାଲି ବ୍ଲକ ମାଧପୁର ପଂଚାୟତ ମଧୁପୁର ଗାଁର ରାଧାକାନ୍ତ ବିଶ୍ୱାଳଙ୍କ ବଡ଼ ପୁଅ ସୂର୍ଯ୍ୟକାନ୍ତ ବିଶ୍ୱାଳ ଘରର ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସୁଦୂର ଚେନ୍ନାଇରେ ଏକ କମ୍ପାନୀରେ କାମ କରି ମାସିକ ୧୦ହଜାର ଟଙ୍କା ଦରମା ପାଇଥାନ୍ତି । ଆଉ ତାଙ୍କର ଏହି ସାଧୁତା ପାଇଁ ଏବେ ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।