ଭାରତୀୟ ବୈଜ୍ଞାନିକଙ୍କ ଅନନ୍ୟ ଉଦ୍ଭାବନ : ଏମିତି ଏକ ଛୁଞ୍ଚି, ଦେହରେ ଫୋଡ଼ିଲେ ବି ହେବ ନାହିଁ ଯନ୍ତ୍ରଣା

670

ଇଞ୍ଜେକ୍ସନ ନେବାବେଳେ ଯେତେବେଳେ ସିରିଞ୍ଜର ଛୁଞ୍ଚି ଶରୀରରେ ପଶିଥାଏ, ସମସ୍ତଙ୍କୁ କିଛି ମାତ୍ରାରେ ଯନ୍ତ୍ରଣା ହୋଇଥାଏ | ବିଶେଷ କରି ଯେଉଁମାନଙ୍କର ଡାଏବେଟିସ ଥାଏ ଓ ବାରମ୍ବାର ସିରିଞ୍ଜ ମାଧ୍ୟମରେ ଇନସୁଲିନ ନେବାକୁ ପଡୁଥାଏ ସେମାନଙ୍କୁ ଯନ୍ତ୍ରଣା ହେଲେ ବି ସହିବାକୁ ପଡିଥାଏ | କିନ୍ତୁ ଖୁବ ଶୀଘ୍ର ଏହି ଯନ୍ତ୍ରଣାରୁ ମୁକ୍ତି ମିଳିଯାଇପାରେ | କାରଣ ଆଇଆଇଟି ଖଡ଼ଗପୁରର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଲେକ୍ଟ୍ରିକାଲ କମ୍ୟୁନିକେସନ ଇଂଜିନିୟରିଂ ବିଭାଗ ଏଭଳି ଏକ ଛୁଞ୍ଚି ନିର୍ମାଣ କରିଛି ଯାହା ଶରୀରରେ ଏତେ ସୁକ୍ଷ୍ମ ଭାବେ ପଶିଥାଏ ଯେ ଯାହାଦ୍ୱାରା ଯନ୍ତ୍ରଣା ହୋଇ ନଥାଏ ବରଂ ଔଷଧ ଶରୀର ଭିତରକୁ ସହଜରେ ଚାଲିଯାଇଥାଏ | ଏହି ଗବେଷଣାର ମୁଖ୍ୟ ଭାବେ କାମ କରୁଥିବା ପ୍ରଫେସର ତରୁଣକାନ୍ତି ଭଟ୍ଟାଚାର୍ଯ୍ୟଙ୍କ ସହ କଥା ହୋଇଛନ୍ତି ଆମ ପ୍ରତିନିଧି |

ପ୍ରଶ୍ନ: କାହିଁକି ଓ କିଭଳି ଏହି ଛୁଞ୍ଚି ପ୍ରସ୍ତୁତ କରିବାକୁ ଭାବିଲେ ?
ପ୍ରଫେସର ତରୁଣକାନ୍ତି ଭଟ୍ଟାଚାର୍ଯ୍ୟ: ଭାରତରେ ବହୁତ ଲୋକ ଡାଏବେଟିସରେ ପୀଡିତ ଅଛନ୍ତି, ଯେଉଁମାନଙ୍କୁ ନିୟମିତ ଇନସୁଲିନ ଇଞ୍ଜେକ୍ସନ ମାଧ୍ୟମରେ ନେବାକୁ ପଡିଥାଏ | ବାରମ୍ବାର ଇନସୁଲିନ ନେବା ଦ୍ୱାରା ଯନ୍ତ୍ରଣା ହୋଇଥାଏ , ଯାହାକୁ ଦେଖି ମୋ ମନରେ ଚିନ୍ତା ଆସିଥିଲା ଯେ ବିନା ଯନ୍ତ୍ରଣାରେ କିଭଳି ଜଣେ ଇଞ୍ଜେକ୍ସନ ବ୍ୟବହାର କରିପାରିବ | କାରଣ ଯେଉଁ ସିରିଞ୍ଜ ବ୍ୟବହାର କରାଯାଉଛି ସେଥିରେ ୨୦୦ରୁ ୩୦୦ ମାଇକ୍ରନ ବ୍ୟାସର ଛୁଞ୍ଚି ରହିଥାଏ | ଯେତେବେଳେ ଏହା ଶରୀର ଭିତରେ ପଶିଥାଏ ସେତେବେଳେ ‘ସେନସରି ନର୍ଭ’ ବା ସଂବେଦୀ ସ୍ନାୟୁରେ ଯନ୍ତ୍ରଣା ହୋଇଥାଏ | ଏହା ପରେ ଆମେ ଯେଉଁ ଛୁଞ୍ଚି ପ୍ରସ୍ତୁତ କଲୁ ତାହା କେଶର ବ୍ୟାସଠାରୁ ମଧ୍ୟ କମ ରଖୁଲୁ | କାରଣ କେଶର ବ୍ୟାସ ୮୦ ମାଇକ୍ରନ ଥିବାବେଳେ ଏହି ଛୁଞ୍ଚିର ବ୍ୟାସ ୫୫ ମାଇକ୍ରନ ମଧ୍ୟରେ ରଖିଲୁ | ଏହି ୫୫ ମାଇକ୍ରନ ବ୍ୟାସ ଥିବା ଛୁଞ୍ଚିରେ ଆମେ ୩୫ ମାଇକ୍ରନର କଣା କରିଥିଲୁ | ଯେହେତୁ ଏହି ଛୁଞ୍ଚିର ବ୍ୟାସ ଛୋଟ ହୋଇଗଲା ସେନ୍ସର ନର୍ଭକୁ ଏହା ଛୁଇଁବ ନାହିଁ, ଯେଉଁଥିପାଇଁ  ଯନ୍ତ୍ରଣା ହେବ ନାହିଁ | ଆମେ ସେଥିପାଇଁ ୧୦୦ ଛୁଞ୍ଚିକୁ ନେଇ ଏକ ରିଜରଭର ନିର୍ମାଣ କରିଛୁ | ଏଥିରେ ଔଷଧ ଭର୍ତ୍ତି କରାଯାଇ ଦିଆଯାଇପାରିବ |

ପ୍ରଶ୍ନ: ଆପଣଙ୍କ ସହ କେଉଁମାନେ ଏହି ଛୁଞ୍ଚି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ ?
ପ୍ରଫେସର  ଭଟ୍ଟାଚାର୍ଯ୍ୟ: ମୁଖ୍ୟତଃ ୪ ଜଣ ଛାତ୍ରଛାତ୍ରୀ ମତେ ସହଯୋଗ କରିଥିଲେ | ଏମାନଙ୍କ ମଧ୍ୟରୁ ଦୁଇ ଜଣ ପିଏଚଡି କରୁଥିବାବେଳେ ଆଉ ଦୁଇ ଜଣ ପୋଷ୍ଟ ଡକ୍ଟରାଲ ଫେଲୋସିପ ବା ପିଡିଏଫ କରୁଛନ୍ତି |

ପ୍ରଶ୍ନ: କେବେ ସୁଦ୍ଧା ଏହି ଛୁଞ୍ଚି ସମସ୍ତଙ୍କ ବ୍ୟବହାର ପାଇଁ ଉପଲବ୍ଧ ହେବ ?
ପ୍ରଫେସର  ଭଟ୍ଟାଚାର୍ଯ୍ୟ: ଏହି ପ୍ରକଳ୍ପ ପାଇଁ ୭ରୁ ୮ ବର୍ଷ ହେଲା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ(Ministry of Communications and Information Technology ) ଆର୍ଥିକ ସହାୟତା ଦେଇଥିଲେ | ଏହି ଛୁଞ୍ଚି ପାଇଁ ଆମେ ଗ୍ଳାସିକାର୍ବନ ନାମକ ଉପାଦାନ ବ୍ୟବହାର କରିଥିଲୁ | ଗ୍ଳାସିକାର୍ବନ ଦ୍ୱାରା ଛୁଞ୍ଚିର ଶକ୍ତି ଏତେ ବଢିଯାଇଛି ଯେ ଛୁଞ୍ଚି ଚର୍ମ ଦେଇ ପଶିବାବେଳେ ଭାଙ୍ଗିବ ନାହିଁ। ବର୍ତ୍ତମାନ ଆମେ ଏହି ଛୁଞ୍ଚିକୁ ପଶୁଙ୍କ ଉପରେ ପରୀକ୍ଷା କରିସାରିଛୁ ଓ ମଣିଷ ଶରୀର ଉପରେ ପରୀକ୍ଷା କରାଯିବାକୁ ଅପେକ୍ଷା କରାଯାଇଛି |