କନକ ବ୍ୟୁରୋ : ସେମିଫାଇନାଲ ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଛି ଖୁସିଖବର । ସେମିଫାଇନାଲ ମ୍ୟାଚ୍ ପୂର୍ବରୁ ଆଇସିସିର ଅମ୍ପାୟାର ଘୋଷଣା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି କରିଛି । ସେମିଫାଇନାଲରେ ଭାରତର ବିଜୟ ନିଶ୍ଚିତ ବୋଲି ସୋସିଆଲ ମିଡ଼ିଆରେ କହୁଛନ୍ତି ଭାରତୀୟ କ୍ରିକେଟପ୍ରେମୀ । କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ ଅମ୍ପାୟାର ଦାୟିତ୍ୱରେ ରହିବେନି ରିଚାର୍ଡ କେଟଲବରୋ । ତେବେ କେଟଲବରୋଙ୍କ ଅମ୍ପାୟରିଂ ସହ ଟିମ୍ ଇଣ୍ଡିଆର ସମ୍ପର୍କ କଣ, ସେନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ।

Advertisment

ସେମିଫାଇନାଲ ମୁକାବିଲା ପାଇଁ ଆଇସିସି ଅମ୍ପାୟାରଙ୍କ ତାଲିକା ଘୋଷଣା କରିଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲରେ କେଟଲବରୋଙ୍କୁ ଦେଖିବାକୁ ମିଳିବନି । ଯାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି । କାରଣ ଏହାପୂର୍ବରୁ ଟିମ୍ ଇଣ୍ଡିଆ ଖେଳିଥିବା ଆଇସିସିର ଅଧିକାଂଶ ନକଆଉଟ ମ୍ୟାଚରେ କେଟଲବରୋ ଅମ୍ପାୟାର ରହିଥିଲେ । ଆଉ ପ୍ରତିଟି ମ୍ୟାଚରେ ଭାରତ ପରାଜିତ ହୋଇଛି । ଖାସକରି ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ମଧ୍ୟ କେଟଲବରୋ ଅମ୍ପାୟାର ରହିଥିଲେ । ଭାରତ ଏହି ମ୍ୟାଚରେ ୧୮ ରନରେ ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହୋଇଥିଲା । ଚଳିତ ବିଶ୍ୱକପରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବ ଭାରତ । କିନ୍ତୁ ଉକ୍ତ ମ୍ୟାଚରେ କେଟଲବରୋ ଅମ୍ପାୟାର ନ ରହିବା କ୍ରିକେଟପ୍ରେମୀଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛି ।

କେବଳ ୨୦୧୯ ବିଶ୍ୱକପର ସେମିଫାଇନାଲ ନୁହେଁ ଭାରତ ଖେଳିଥିବା ୨୦୧୪ ଟି-୨୦ ବିଶ୍ୱକପ, ୨୦୧୫ ଦିନିକିଆ ବିଶ୍ୱକପ, ୨୦୧୬ ଟି-୨୦ ବିଶ୍ୱକପ, ୨୦୧୬ ଚାମ୍ପିୟନ୍ସ ଟ୍ରଫିର ନକଆଉଟ ମୁକାବିଲାରେ କେଟଲବରୋ ଅମ୍ପାୟାର ରହିଥିଲେ । ଏହି ସବୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ପରାଜିତ ହୋଇଥିଲା । ଯେଉଁଥିପାଇଁ ନକଆଉଟ ମୁକାବିଲାରେ ଭାରତ ପାଇଁ କେଟଲବରୋ ଅନଲକି ସାବ୍ୟସ୍ତ ହୋଇଛନ୍ତି । କେବଳ ଏତିକି ନୁହେଁ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲରେ ମଧ୍ୟ କେଟଲବରୋ ଅମ୍ପାୟାର ରହିଥିଲେ । ଭାରତ ଏହି ଆଇସିସି ଇଭେଣ୍ଟରେ ମଧ୍ୟ ମାତ୍ ଖାଇଥିଲା । ତେଣୁ ଭାରତର ସେମିଫାଇନାଲ ମୁକାବିଲାରେ କେଟଲବରୋ ଅମ୍ପାୟରିଂ ନ କରିବା ଟିମ୍ ଇଣ୍ଡିଆ ପାଇଁ ଆର୍ଶୀବାଦ ବୋଲି କ୍ରିକେଟପ୍ରେମୀ କହିଛନ୍ତି ଏବଂ ରୋହିତ ବାହିନୀର ଫାଇନାଲ ଟିକେଟ ପକ୍କା ବୋଲି ଦୃଢ ଆଶାବାଦୀ ରହିଛନ୍ତି ।

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମୁକାବିଲାରେ ରିଚାର୍ଡ ଇଲିଙ୍ଗୱର୍ଥ ଓ ରଡ୍ ଟକର ଫିଲ୍ଡ ଅମ୍ପାୟାର ରହିବେ । ସେହିଭଳି ଜୋଏଲ ୱିଲସନ ଥାର୍ଡ ଅମ୍ପାୟାର ଥିବା ବେଳେ ମ୍ୟାଚର ରେଫରୀ ଭୂମିକାରେ ଆଣ୍ଡି ପାଇକ୍ରଫ୍ଟଙ୍କୁ ଦେଖିବାକୁ ମିଳିବ । ଭାରତ ବିପକ୍ଷ ମ୍ୟାଚରେ କେଟଲବରୋ ଅମ୍ପାୟାର ନ ରହିବା କ୍ରିକେଟପ୍ରେମୀଙ୍କୁ ଆଶ୍ୱସ୍ତି ଆଣି ଦେଇଛି କିନ୍ତୁ ରିଚାର୍ଡ ଇଲିଙ୍ଗୱର୍ଥ ମଧ୍ୟ ଭାରତ ପାଇଁ ଅନଲକି ସାବ୍ୟସ୍ତ ହୋଇ ଆସିଛନ୍ତି । ୨୦୧୯ ସେମିଫାଇନାଲ ସହ ୨୦୨୧ ଓ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ମଧ୍ୟ ଇଲିଙ୍ଗୱର୍ଥ ଅମ୍ପାୟାର ରହିଥିଲେ । ତେଣୁ ଇଲିଙ୍ଗୱର୍ଥଙ୍କୁ ନେଇ ମଧ୍ୟ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଭୟ ରହିଛି । ୨୦୧୯ର ପୁନରାବୃତ୍ତି ୨୦୨୩ରେ ନ ହେଉ ବୋଲି ଚାହୁଁଛନ୍ତି କ୍ରିକେଟପ୍ରେମୀ ।