ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର। ୮ ପ୍ରତିଶତ ଛୁଇଁଲା ସ୍ଥାୟୀ ଜମା ସୁଧହାର।

338

କନକ ବ୍ୟୁରୋ: ୩ ବର୍ଷ ପରେ ଫିକ୍ସଡ୍ ଡିପୋଜିଟ୍ରେ ୮ ପ୍ରତିଶତ ହାରରେ ସୁଧ ପାଇବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ସଞ୍ଚୟ ସ୍କିମ୍ରେ ସରକାର ସୁଧହାର ବଢ଼ାଇବା ପରେ ବରିିଷ୍ଠ ନାଗରିକଙ୍କୁ ଆଶ୍ୱସ୍ତି ଆଣିଦେଇଛି । ଏପରିକି କିଛି ବ୍ୟାଙ୍କ ସୁଧହାରକୁ ୮ ପ୍ରତିଶତରୁ ଅଧିକ କରିଛନ୍ତି । ସେହିପରି ସୁପର ସିନିୟର ସିଟିଜେନ୍ ଅର୍ଥାତ୍ ୮୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କ ସ୍ଥାୟୀ ଜମା ଉପରେ ଅଧିକ ସୁଧ ଦେବା ପାଇଁ ମଧ୍ୟ କିଛି ବ୍ୟାଙ୍କ ନିଷ୍ପତି ନେଇଛନ୍ତି ।

କରୋନା ମହାମାରୀ ପରେ ଅର୍ଥାତ ୩ ବର୍ଷ ପରେ ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ବଢ଼ିଛି । ଫିକ୍ସଡ୍ ଡିପୋଜିଟରେ ୮ ପ୍ରତିଶତ ହାରରେ ସୁଧ ପାଇବେ ବରିଷ୍ଠ ନାଗରିକ । ବରିଷ୍ଠ ନାଗରିକ ସଞ୍ଚୟ ସ୍କିମରେ ସୁଧହାର ବଢ଼ାଇଛନ୍ତି ସରକାର । ଫଳରେ ଯେଉଁ ବରିଷ୍ଠ ନାଗରିକ ଚଳିବା ପାଇଁ ସୁଧ ଉପରେ ନିର୍ଭର କରିଥାନ୍ତି, ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।

ସିନିୟର ସିଟିଜେନ୍ ସେଭିଙ୍ଗସ୍ ସ୍କିମ୍
ଏପ୍ରିଲ୍ ୨୦୨୦ – ସେପ୍ଟେମ୍ବର ୨୦୨୨ – ସୁଧହାର – ୭.୪ ପ୍ରତିଶତ
ଅକ୍ଟୋବର ୨୦୨୨ – ଡିସେମ୍ବର ୨୦୨୨ – ସୁଧହାର – ୭.୬ ପ୍ରତିଶତ
ଜାନୁଆରୀ ୨୦୨୩ – ସୁଧହାର – ୮ ପ୍ରତିଶତ

ଏପ୍ରିଲ ୨୦୨୦ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ସଞ୍ଚୟ ସ୍କିମରେ ବାର୍ଷିକ ସୁଧହାର ଥିଲା ୭.୪ ପ୍ରତିଶତ । ଅକ୍ଟୋବରରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ସୁଧହାର ୭.୬କୁ ବୃଦ୍ଧି ପାଇଥିଲା, ଏବେ ଏହି ସ୍କିମ୍ରେ ସୁଧହାର ୮ ପ୍ରତିଶତକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।

ଏସବିଆଇ ସ୍ଥାୟୀ ଜମା (ବରିଷ୍ଠ ନାଗରିକ)
ମେ’ ୨୦୨୦ – ଜାନୁଆରୀ ୨୦୨୨ – ସୁଧହାର – ୫.୬ ପ୍ରତିଶତ
ବର୍ତ୍ତମାନ – ସୁଧହାର – ୭.୨୫ ପ୍ରତିଶତ

ସେହିପରି ବରିଷ୍ଠ ନାଗରିକଙ୍କ ଫିକ୍ସଡ୍ ଡିପୋଜିଟ୍ ବା ସ୍ଥାୟୀ ଜମା ଉପରେ ବାର୍ଷିକ ସୁଧହାର ମଧ୍ୟ ବୃଦ୍ଧି କରିଛନ୍ତି ଉଭୟ ପ୍ରାଇଭେଟ୍ ଓ ପବ୍ଲିକ ସେକ୍ଟର ବ୍ୟାଙ୍କ । କିଛି ବ୍ୟାଙ୍କ ସୁଧହାର ୮ ପ୍ରତିଶତ ପାଖାପାଖି କରିଥିବା ବେଳେ କିଛି ବ୍ୟାଙ୍କ ୮ ପ୍ରତିଶତ କିମ୍ବା ତାଠାରୁ ଅଧିକ କରି ସାରିଛନ୍ତି । ମୁଦ୍ରାସ୍ଫୀତି ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବାରମ୍ବାର ସୁଧ ହାର ବୃଦ୍ଧି କରିଥିବା ବେଳେ ଜମା ଉପରେ ମଧ୍ୟ ସୁଧହାର ବଢ଼ାଉଛନ୍ତି ବ୍ୟାଙ୍କ । ବରିଷ୍ଠ ନାଗରିକଙ୍କ ପାଇଁ ସୁଧ ହାର ୫୦ ବେସସ୍ ପଏଂଟରୁ ୧୦୦ ବେସିସ୍ ପଏଂଟ ଅଧିକ ରହିଛି ।