ଆଜିକାଲି ବୃଦ୍ଧ ପିତା-ମାତାଙ୍କୁ ଘରୁ କାଢିଦେବା ଏ ବଂ ହଇରାଣ କରିବା ଖବର କିଛି ନୂଆ କଥା ନୁହେଁ । ଏହିଭଳି ଅନେକ ଖବର ପ୍ରତିଦିନ ଶୁଣିବାକୁ ମିଳୁଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳୁଛି । ଯଦି ଆପଣ ମଧ୍ୟ ଏହିଭଳି କିଛି କରିବା ପାଇଁ ପ୍ରୟାସ କରୁଛନ୍ତି , ତେବେ ସାବଧାନ ହୋଇଯାଆନ୍ତୁ । ମୋଦି ସରକାର ଏନେଇ କଡା ଯୋଜନା ଆରମ୍ଭ କରୁଛନ୍ତି ।ଏଥିପାଇଁ ସମ୍ପ୍ରତି ୩ ମାସ ଥିବା ଜେଲ୍ ଦଣ୍ଡକୁ ୬ ମାସ କରାଯିବାର ଯୋଜନା ରଖାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
‘ମେଣ୍ଟେନାନ୍ସ୍ ଆଣ୍ଡ୍ ଓ୍ଵଲ୍ଫେୟାର୍ ଅଫ୍ ପ୍ୟାରେଣ୍ଟ୍ସ୍ ଆଣ୍ଡ୍ ସିନିୟର୍ ସିଟିଜେନ୍ ଆକ୍ଟ୍, ୨୦୦୭’କୁ ସମୀକ୍ଷା କରୁଥିବା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏଥିରେ ପିଲାମାନଙ୍କ ସଂଜ୍ଞାକୁ ମଧ୍ୟ ସବିଶେଷ ସ୍ପଷ୍ଟ କରିବାକୁ ଯୋଜନା କରଛି। ପୋଷ୍ୟ, ସାବତ ପିଲା, ଜ୍ୱାଇଁ ଓ ବୋହୂ, ନାତିନାତୁଣୀ, ଆଇନଗତ ଅଭିଭାବକମାନଙ୍କ ଦ୍ୱାରା ପ୍ରତିନିଧିତ୍ୱ ହେଉଥିବା ନାବାଳ ଆଦିଙ୍କ ପ୍ରସଙ୍ଗ ଏଥିରେ ରହିଛି ବୋଲି ମନ୍ତ୍ରାଳୟର ଅଧିକାରୀ ଜଣକ କହିଛନ୍ତି।
ପ୍ରଚଳିତ ଆଇନ୍ ଅନୁସାରେ କେବଳ ଆପଣା ଜନ୍ମିତ ପିଲା ଓ ନାତିନାତୁଣୀ ଏହି ବ୍ୟବସ୍ଥା ଅଧୀନରେ ଆସୁଛନ୍ତି। ‘ମେଣ୍ଟେନାନ୍ସ୍ ଆଣ୍ଡ୍ ଓ୍ଵଲ୍ଫେୟାର୍ ଅଫ୍ ପ୍ୟାରେଣ୍ଟ୍ସ୍ ଆଣ୍ଡ୍ ସିନିୟର୍ ସିଟିଜେନ୍ ଆକ୍ଟ୍ ୨୦୧୮’ ଅନୁମୋଦନ ଲାଭ କରିବା ପରେ ଏବକାର ଆଇନ୍ ବ୍ୟବସ୍ଥାରେ ପରିବର୍ତ୍ତନ ଘଟିବ।