ଚାଷୀଙ୍କ ପାଇଁ ଆସୁଛି ଭଲ ଖବର: ୪ ଓ ୫ ତାରିଖରେ ବର୍ଷା ସମ୍ଭାବନା; ସାରା ଓଡିଶାରେ ହେବ ବର୍ଷା, କେତେକ ସ୍ଥାନରେ ହୋଇପାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

1,685

କନକ ବ୍ୟୁରୋ: ଚାଷୀଙ୍କ ପାଇଁ ଆସୁଛି ଭଲ ଖବର । ଲଘୁଚାପ ଆଣିବ ବର୍ଷା । ଆସନ୍ତା ୪ ତାରିଖରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ଉଜ୍ଜଳ ହୋଇଛି । ଉତର-ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବ । ଜୁଲାଇ ମାସରେ ବର୍ଷା ନ ହେବାରୁ ଉପକୂଳ ଓଡିଶାରେ ସାଂଘାତିକ ମରୁଡି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଚାଷୀ ଖରିଫ ଋତୁର ଚାଷ ଆରମ୍ଭ କରିପାରିନାହିଁ । ଖରିଫ ଋତୁର ଧାନଚାଷ ଚାଷୀ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଚାଷରୁ ହିଁ ଚାଷୀ ବର୍ଷତମାମର ରୋଜଗାର ପାଇଥାଏ , ଏବଂ ସାରା ବର୍ଷ ଖାଇବା ପାଇଁ ଧାନ ଅମଳ କରିଥାଏ । କିନ୍ତୁ ଜୁଲାଇ ମାସରେ ମୌସୁମୀ ସକ୍ରିୟ ନ ହେବାରୁ ୧୨ଟି ଜିଲ୍ଲାରେ ବର୍ଷା ହୋଇନାହିଁ । ତେବେ ଦିନକ ପରେ ୪ ତାରିଖରେ ଉତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବା ସମ୍ଭାବନା ଉଜ୍ଜଳ ହୋଇଛି । ଏହା ହେଲେ ମୌସୁମୀ ସକ୍ରିୟ ହୋଇ ସାରା ଓଡିଶାରେ ବର୍ଷା ହେବ ଓ ଚାଷୀଙ୍କ ପାଇଁ ଆଶ୍ୱସ୍ତି ଆଣିବ ।

ସେପଟେ, କରୋନା କାଳରେ ଜୀବନ-ଜୀବିକାର ଦୋଛକିରେ ଛନ୍ଦି ହୋଇଥିବା ମଣିଷ ସବୁଠାରୁ ସଂଘର୍ଷପୂର୍ଣ୍ଣ ସମୟ ଦେଇ ଗତି କରୁଛି । କରୋନାର ଖବର ଭିତରେ କେମିତି ଅଛି ଚାଷୀ ଏବଂ କେମିତି ଚାଲିଛି ଚାଷ କାମ, ତାର ଏକ ଅଭାବନୀୟ ଚିତ୍ର ଆସିଛି ଆଠଗଡ଼ରୁ । ଚାଷ ଜମି ପାଲଟି ଗଲାଣି ଟାଙ୍ଗରା ଭୂଇଁ । ଆକାଶକୁ ଆ’ କରି ଚାହିଁ ରହିଛି ଚାଷୀ । ବର୍ଷା ହେବ ଏବଂ ବିଲ୍କୁ ମୁନ୍ଦେ ପାଣି ମିଳିବ, ସେହି ଆଶାରେ ସଂଘର୍ଷ ରହିଛି । ହେଲେ ବର୍ଷାର ଦେଖାନାହିଁ । ଗୋଟିଏ ପଟେ ବର୍ଷା ନାହିଁ ଅନ୍ୟପଟେ ଉଠାଜଳସେଚନ ବ୍ୟବସ୍ଥା ଅଚଳ ହୋଇଯାଇଛି ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଠାଜଳ ସେଚନ ପ୍ରକଳ୍ପ କରିଥିଲେ ଚାଷୀ । ହେଲେ ଯେତେବେଳେ ଏହାର ଦରକାର ପଡ଼ିଲା, ସେତେବେଳେ ତାହା କାମରେ ଆସୁନି । ଆଉ ଏହାକୁ ନେଇ ଆଠଗଡ଼ ଅଂଚଳରେ ଚାଷୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳୁଛି । ଆଠଗଡ଼ ଅଂଚଳରେ ୩ ହଜାର ୩୨୬ ହେକ୍ଟର ଚାଷଜମି ପାଇଁ ୩୦ଟି କ୍ଷୁଦ୍ର ଜଳସେଚନ ଓ ୧୧୪ଟି ଉପଜଳସେଚନ ପ୍ରକଳ୍ପ ରହିଛି । କିନ୍ତୁ ଅଧିକାଂଶ ଜାଗାରେ କାମ କରୁନାହିଁ । ଯାହାଫଳରେ ଜଳସେଚନ ପ୍ରକଳ୍ପ ଉପରେ ନର୍ଭର କରୁଥିବା ଚାଷୀ ଏକପ୍ରକାର ନିରାଶ । ଆଉ ଏଭଳି ସ୍ଥିତି ଲାଗି ରହିଲେ ସ୍ଥିତି କଣ ହେବ ତାକୁ ନେଇ ଚାଷୀର ଚିନ୍ତା ପଢ଼ିଯାଇଛି ।