ରାଜ୍ୟରେ କମୁଛି କରୋନା ! ୩ ମାସ ୨୦ ଦିନ ପରେ ହଜାରେ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।

502

କନକ ବ୍ୟୁରୋ : କରୋନାକୁ ନେଇ ଓଡ଼ିଶା ପାଇଁ ଭଲ ଖବର । ଆଜି ଦୈନିକ ସଂକ୍ରମଣ ୧ ହଜାର ତଳକୁ ରହିଛି । ଗତ ୨୪ ଘଂଟାରେ ରାଜ୍ୟରେ ମୋଟ ୯୮୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ମାସ ୨୦ ଦିନ ପରେ ହଜାରେ ତଳକୁ ଖସିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜୁଲାଇ ୨୦ ପରଠାରୁ ହଜାରେ ତଳକୁ ଖସିନଥିଲା ସଂକ୍ରମଣ ।

ରାଜ୍ୟରେ କମୁଛି କରୋନା ! ହଜାରେ ତଳକୁ ଖସିଲା ଦୈନିକ ସଂକ୍ରମଣ । ୩ ମାସ ୨୦ ଦିନ ପରେ ଆସିଲା ଏଭଳି ଟ୍ରେଣ୍ଡ । ଜୁଲାଇ ୨୦ ତାରିଖ ପରଠାରୁ ଅର୍ଥାତ ଜୁଲାଇ ୨୧ ତାରିଖରୁ ରାଜ୍ୟରେ ଦୈନିକ ସଂକ୍ରମଣ ହଜାରେ ଉପରକୁ ଉଠିଥିଲା । ୧ ହଜାରରୁ ୨ ହଜାର, ୨ ହଜାରରୁ ୩ ହଜାର, ୩ ହଜାରରୁ ୪ ହଜାର ଏହିଭଳି ଭାବେ ପ୍ରତିଦିନ ବୃଦ୍ଧି ପାଇଲା କରୋନା ମାମଲା । କରୋନାର ସବୁଠାରୁ ଅଧିକ ସଂକ୍ରାମକ ରୂପ ଦେଖିବାକୁ ମିଳିଥିଲା ସେପ୍ଟେମ୍ବର ମାସରେ । ଏହି ମାସରେ କିଛି ଦିନ ଧରି ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ଚିନ୍ତା ବଢ଼ି ଯାଇଥିଲା । ତେବେ ଅକ୍ଟୋବରରୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିଥିଲା । ୩ ମାସ ୨୦ ଦିନ ପରେ ପୁଣିଥରେ ହଜାରେ ତଳକୁ ଖସିଛି ସଂକ୍ରମଣ ।

ଓଡ଼ିଶାରେ କରୋନା ସ୍ଥିତି
ଜୁଲାଇ ୨୦ – ୬୪୭
ଜୁଲାଇ ୨୧ – ୧୦୭୮
ଅଗଷ୍ଟ ୨୦ – ୨୬୯୮
ସେପ୍ଟେମ୍ବର ୨୦ – ୪୨୪୨
ଅକ୍ଟୋବର ୨୦ – ୧୯୩୧
ନଭେମ୍ବର ୧୦ – ୯୮୭

କରୋନା କମୁଥିବା ବେଳେ ଏଯାଏଁ ଭୟ ଯାଇନାହିଁ ବୋଲି ସତର୍କ କରାଇଛନ୍ତି ବିଶେଷଜ୍ଞ । ଶୀତଦିନରେ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ କରୋନା କଟକଣା ପୂର୍ବଭଳି ମାନିବାକୁ ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ରାଜ୍ୟରେ ୫୦ ଲକ୍ଷ ଟପିଛି କରୋନା ପରୀକ୍ଷା । ରାଜ୍ୟରେ ଟେଷ୍ଟ ପଜିଟିଭ ରେଟ୍ ହେଉଛି ୬.୦୪ ପ୍ରତିଶତ । ମୋଟ ୫୦,୨୭,୯୫୯ ଟେଷ୍ଟ ହୋଇଥିବା ବେଳେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩,୦୩,୭୮୦ । ତେବେ ଆଶ୍ୱସ୍ତିର କଥା ହେଉଛି ୨,୮୯,୬୮୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ୧୨,୫୮୪ ଜଣ ରହିଛନ୍ତି ସକ୍ରିୟ ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ରହିଛି ୧୪୫୪ ।