ଓଡିଶା ପାଇଁ ଭଲ ଖବର । ଏକାଥରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ । ଭୁବନେଶ୍ୱରରୁ ୫ । ଭଦ୍ରକ, କଟକ, ଯାଜପୁର, ପୁରୀରୁ ଅନ୍ୟ ୫ ସୁସ୍ଥ । ସେବା ପାଇଁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଛୁଟିଲା ଶୁଭେଚ୍ଛାର ସୁଅ

2,989

କନକ ବ୍ୟୁରୋ: ଓଡ଼ିଶା ପାଇଁ ଭଲଖବର । ରାଜ୍ୟରେ ଏକାସଙ୍ଗେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ । ୧୦ ଆକ୍ରାନ୍ତଙ୍କ ନମୂନା ପରୀକ୍ଷା ପରେ ଆସିଲା ନେଗେଟିଭ୍ । ତେବେ ସବୁଠାରୁ ଖୁସିର କଥା ହେଲା କି, ସୁସ୍ଥ ହୋଇଥିବା ଏହି ୧୦ ଜଣଙ୍କ ମଧ୍ୟରେ ଭୁବନେଶ୍ୱର ୫ ଜଣ ଅଛନ୍ତି ।

ସେହିପରି ଭଦ୍ରକରୁ ୨ ଜଣ, କଟକରୁ ଜଣେ, ଯାଜପୁରରୁ ଜଣେ ଥିବାବେଳେ ପୁରୀରୁ ମଧ୍ୟ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ତେବେ ବର୍ତ୍ତମାନ ରାଜ୍ୟର ମୋଟ ୪୮ ଆକ୍ରାନ୍ତରୁ ଆଜି ୧୦ ଜଣ ସୁସ୍ଥ ହୋଇଥିବା ବେଳେ ପୂର୍ବରୁ ୨ ଜଣ ସୁସ୍ଥ ହୋଇଥିଲେ । ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ଏବେ ରାଜ୍ୟରେ ଆଉ ୩୫ଟି କରୋନା ଆକ୍ଟିଭ କେସ୍ ରହିଛି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ପଛରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ବଡ ଅବଦାନ ରହିଛି । ଦିନରାତି ଏକ କରି ସେମାନେ ଆକ୍ରାନ୍ତଙ୍କ ସେବା କରିବା ପାଇଁ ନିଜକୁ ସମର୍ପିତ କରିଥିବାରୁ ସାରା ରାଜ୍ୟରୁ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି ।