ଅର୍ଥନୀତି ପାଇଁ ଭଲ ଖବର । ଗତବର୍ଷ ତୁଳନାରେ ଦ୍ୱିତୀୟ କ୍ୱାର୍ଟରରେ ମାତ୍ର ୭ଦଶମିକ ୫ପ୍ରତିଶତ କମିଲା ଜିଡିପି । ଷ୍ଟକ ବଜାରରେ ଉତ୍ସାହ ଆଣିଥିଲା ଭ୍ୟାକସିନ ପରୀକ୍ଷଣର ଖବର

97

କନକ ବ୍ୟୁରୋ : କରୋନା ମାଡରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଅର୍ଥ ବ୍ୟବସ୍ଥା ଧିରେ ଧିରେ ଟ୍ରାକକୁ ଫେରୁଛି । ଆଜି ଭାରତ ସରକାର ଜାରି କରିଥିବା ଦ୍ୱିତୀୟ କ୍ୱାର୍ଟରର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଗତବର୍ଷର ଏହି କ୍ୱାର୍ଟର ତୁଳନାରେ ୭ଦଶମିକ ୫ପ୍ରତିଶତ ଖସିଛି । ଏହି ବର୍ଷର ପ୍ରଥମ କ୍ୱାର୍ଟରରେ ଜିଡିପି ଗତବର୍ଷର ପ୍ରଥମ କ୍ୱାର୍ଟର ଅପେକ୍ଷା ୨୩ଦଶମିକ ୯ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟରରେ ଗତବର୍ଷର ଏହି କ୍ୱାର୍ଟର ଅପେକ୍ଷା ମାତ୍ର ୭ଦଶମିକ ୫ପ୍ରତିଶତ ହ୍ରାସ ଘଟିଛି, ଏହା ଦର୍ଶାଉଛି ଯେ ଭାରତର ଅର୍ଥନୀତି ଧିରେ ଧିରେ ଟ୍ରାକକୁ ଫେରୁଛି ।

ନିକଟରେ କୋଭିଡ ଭ୍ୟାକସିନକୁ ନେଇ ଯେଉଁ ଖବର ଆସିଲା ସେଥିରେ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଲା । ଆମେରିକାର ଦୁଇଟି କମ୍ପାନୀ ଫାଇଜର ଓ ମଡନା କମ୍ପାନୀ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ବେଶ ଭଲ ଫଳ ଆସିଥିବା କଥା କହିଥିଲେ । ଏବଂ ଅକ୍ସଫର୍ଡ ଟିକା ମଧ୍ୟ ଆଶାନୂରପ କାମ କରିବ ବୋଲି ପରୀକ୍ଷଣରୁ ଜଣାପଡିଛି । ଏହି ସବୁ ଖବର ଭାରତୀୟ ଷ୍ଟକ ବଜାରରେ ମଧ୍ୟ ଭଲ ପ୍ରଭାବ ପକାଇଥିଲା ।

ଏହାଫଳରେ ଲକଡାଉନରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତି ଅନେକାଂଶରେ ଅଭିବୃଦ୍ଧିର ସୁଯୋଗ ପାଇଥିଲା । ଏହାଛଡା କଳାକାରଖାନା ପୁଣି ଖୋଲିବା ଓ ପର୍ବପର୍ବାଣୀରେ ଲୋକେ ଖର୍ଚ୍ଚ କରିବା ଏବଂ ଅନ୍ୟ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଆସିଥିବାରୁ ଦେଶର ଅର୍ଥନୀତି ଭଲ ଖବର ଦେଉଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।