ସେବା ପାଇଲେ, ସ୍ନେହ ବାଣ୍ଟିଲେ: ବାହାର ରାଜ୍ୟର ଶ୍ରମିକଙ୍କୁ ଅଣଦେଖା କଲେନି, ଆପଣାଇ ନେଲେ । ପେଟ କଥା ବୁଝିଥିବା ଗାଁ ଲୋକଙ୍କ ସ୍ନେହର ମୂଲ ସୁଝିଦେଲେ । ନିଜେ ରହୁଥିବା ସଙ୍ଗରୋଧ କେନ୍ଦ୍ରକୁ ସ୍ୱଚ୍ଛ କରି ନୂଆ ସମ୍ପର୍କର ରଙ୍ଗ ମାରିଲେ… କ୍ୱାରେଣ୍ଟାଇନ କେନ୍ଦ୍ରରେ ଲେଖା ହେଲା ଭାଇଚାରାର ନୂଆ କାହାଣୀ ।

709

କନକ ବ୍ୟୁରୋ: ସଙ୍ଗରୋଧ କେନ୍ଦ୍ରରେ ସମ୍ପର୍କର ରଙ୍ଗ । ଭୂତାଣୁ ଭୟ ଭିତରେ ଭଲପାଇବାର ବାସ୍ନା । ଆପଣଙ୍କ ସାମ୍ନାରେ ଥିବା ଏ ଚିତ୍ର ସାଧାରଣ ଚିତ୍ର ନୁହେଁ । ଏଥିରେ ଥିବା ସମସ୍ତ ଚରିତ୍ର ଜଣେ ଜଣେ କାହାଣୀ । ଆଉ ସେ କାହାଣୀ କରୋନାର କଳା ବାଦଲ ଭେଦି ସାରା ବିଶ୍ୱ ଦେଇଛି ଏକ ସୁନ୍ଦର ବାର୍ତ୍ତା । ସାରା ଜଗତ ଯେତେବେଳେ ଅଦୃଶ୍ୟ ଭୟ ଆଗରେ ଭୟଭୀତ ହେଉଛି । ଏମାନେ ବା କେମିତି ବାଦ ପଡନ୍ତେ । ତମାମ ଦେଶରେ ତାଲା ପଡିଥିବାରୁ ଏମାନେ ଅଟକି ଥିଲେ ଅଧା ବାଟରେ । ଘରମୁହାଁ ମଣିଷ ବନ୍ଧା ପଡିଥିଲେ ପର ଘର ଆଗରେ, ପର ରାଜ୍ୟରେ । ଲକଡାଉନ ନଉଠିବା ଯାଏଁ ଆଖି ଲୁହକୁ ଓଠରେ ପିଇ କ୍ୱାରେଣ୍ଟାଇନରେ ରହିଥିଲେ ଶ୍ରମିକମାନେ ।

ପରିବାର କଥା ମନେ ପଡୁଥିଲା, ଘରକୁ ନଫେରି ପାରି ମନ ଛଟପଟ ହେଉଥିଲା । ରାଜସ୍ଥାନ ଶିକର ଅଞ୍ଚଳରେ ଥିବା ସଙ୍ଗରୋଧ କେନ୍ଦ୍ରରେ ଜୀବନ ସଜ୍ଞାହୀନ ଲାଗୁଥିଲା । ଲକଡାଉନର ନିରବତା ଭିତରେ ନିଜ ନିଶ୍ୱାସ ବି ନିଛାଟିଆ ଲାଗୁଥିଲା । କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିବା ୟୁପି, ବିହାର, ମଧ୍ୟପ୍ରଦେଶର ୫୪ ପ୍ରବାସୀ ଶ୍ରମିକଙ୍କ ପ୍ରତିଟି ମୁହୂର୍ତ୍ତ ବିରକ୍ତି କର ଲାଗୁଥିଲା । ହେଲେ ସଙ୍ଗରୋଧର କିଛି ଦିନ ପରେ ସବୁକିଛି ବଦଳିଗଲା । ଅଜାଡି ପଡିଥିବା ଏକଲାପଣ ଆପଣାର ଲାଗିଲା । ଭୟ ଭିତରୁ ଦିଶୁଥିବା ଆଶଙ୍କାର ଆଖି ଗୁଡିକ ଆତ୍ମୀୟତାରେ ଭରିଗଲା । କାରଣ ପ୍ରବାସୀ ଶ୍ରମିକମାନଙ୍କୁ ସେବା ଦେବାରେ ହେଳା କଲେନି ଗାଁ ଲୋକେ । ସଂକ୍ରମଣ ସନ୍ଦେହ ନୁହେଁ ବରଂ ସ୍ନେହ, ପ୍ରେମର ସୂତାଖିଅରେ ବାନ୍ଧି ଶ୍ରମିକଙ୍କ ପେଟ କଥା ବୁଝିଥିଲେ ଗାଁ ଲୋକେ ।

ତେବେ ସେତିକିରେ ସରି ନଥିଲା ଏ ସୁନ୍ଦର ନାଟକର ଶେଷ ଦୃଶ୍ୟ । ନାଟକରେ ଯବନିକା ପଡିବା ପୂର୍ବରୁ ସମ୍ପର୍କକୁ ଜୀବନ୍ତ କରିଥିଲେ ଶ୍ରମିକମାନେ । ପାଇଥିବା ପ୍ରେମ, ମିଳିଥିବା ସେବାର ପ୍ରତିଦାନ ଦେଇଥିଲେ ଏ ଶ୍ରମିକମାନେ । କାମ ନକରି ବି ସବୁଦିନ ଯେଉଁ ଖାଦ୍ୟ ମିଳୁଥିଲା, ବସି ରହି ବି ଯେଉଁ ସୁବିଧା ମିଳୁଥିଲା… ସେହି ସୁବିଧାକୁ ଶ୍ରମରେ ବଦଳାଇଥିଲେ ଏମାନେ । ଆଉ ସଙ୍ଗରୋଧ କେନ୍ଦ୍ରକୁ ସ୍ୱଚ୍ଛ କରିଥିଲେ । ଯେଉଁ ଗାଁ ଲୋକେ ଆମ ପାଇଁ ଏତେ କାମ କଲେ ସେମାନଙ୍କ ପାଇଁ ଆମେ କଣ ଏତିକି କରି ପାରିବୁନି … ଏହି ଉଦେଶ୍ୟ ନେଇ କ୍ୱାରେଣ୍ଟାଇନ କେନ୍ଦ୍ର ବନିଥିବା ସ୍କୁଲର ଚାରିପଡ ସାରାଦିନ ସଫା କରିଥିଲେ ଆଉ ସ୍କୁଲର କାନ୍ଥରେ ସମ୍ପର୍କର ରଙ୍ଗ ଦେଇ ସୁନ୍ଦର କରିଥିଲେ ।

ରାଜସ୍ଥାନରୁ ଆସିଥିବା ଏ ପ୍ରେରଣାଦାୟୀ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ୧୪ ଦିନିଆ ସଙ୍ଗରୋଧକୁ କିଛି ଲୋକ ଅଣନିଶ୍ୱାସୀ, ବନ୍ଦୀ ଜୀବନ ଭାବୁଥିବା ବେଳେ ରାଜସ୍ଥାନର ଏ କାହାଣୀ ସେମାନଙ୍କୁ କଣ ଶିଖାଇବ ? ତେବେ ଲକଡାଉନ ସରୁ ସରୁ ଓଡିଶାକୁ ଫେରିବେ ଲକ୍ଷ ଲକ୍ଷ ଓଡିଆ । ଓଡିଶା ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ଆଉ ସେତେବେଳେ ସେମାନେ ଏହି ଅଣସର ଘରେ ଅଣନିଶ୍ୱାସୀ ନହୋଇ, ସେବା ଯୋଗାଉଥିବା ଯୋଦ୍ଧାଙ୍କୁ ସନ୍ଦେହର ଆଖିରେ ନଦେଖି ଯଦି ସମ୍ପର୍କ ଯୋଡିବାର ନୂଆ ଠିକଣା ଖୋଜନ୍ତେ ତେବେ ହୁଏତ ସେମାନେ ନିଜ ଗାଁ, ପଞ୍ଚାୟତ ଆଉ ରାଜ୍ୟ ପାଇଁ ଉଦାହରଣ ସାଜନ୍ତେ ?