ମୋଦୀ ସରକାର ଆଣିବେ ନୂଆ ଆଇନ, ବ୍ୟାଙ୍କ ବୁଡିଗଲେ ୯୦ ଦିନ ମଧ୍ୟରେ ଖାତାଧାରକଙ୍କୁ ସର୍ବାଧିକ ମିଳିବ ୫ ଲକ୍ଷ ଟଙ୍କା

238

କନକ ବ୍ୟୁରୋ : ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ (ପିଏମସି),ୟେସ ବ୍ୟାଙ୍କ, ଲକ୍ଷ୍ମୀବିଳାସ ବ୍ୟାଙ୍କ ଭଳି ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଗ୍ରାହକଙ୍କୁ ସରକାର ଏବେ ସହାୟତାର ହାତ ବଢାଇଛନ୍ତି । ବୁଧବାର ଦିନ ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଆଇସିଜିସି ନିୟମର ପରିବର୍ତନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏବେ ଏନେଇ ଏକ ବିଲ ସଂସଦରେ ଉପସ୍ଥାପନ କରାଯିବ । ଏହି ବିଲ୍ ମୁତାବକ ଯଦି କୌଣସି ବ୍ୟାଙ୍କ କୌଣସି କାରଣରୁ ବନ୍ଦ ହୋଇଯାଏ ତେବେ ବୀମା ଆଧାରରେ ଗ୍ରାହକଙ୍କୁ ୯୦ ଦିନ ମଧ୍ୟରେ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ କରାଯିବ ।

ଏନେଇ ବୈଠକ ପରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡିପୋଜିଟ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେଶନ (ଡିଆଇସିଜିସି) ଆଇନର ସଂଶୋଧନ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସେ କହିଛନ୍ତି କି ଏହି ବିଲକୁ ସଂସଦର ମୌସୁମୀ ଅଧିବେଶନରେ ଆଗତ କରାଯିବ ।

ଡିଆଇସିଜିସି ଆଇନରେ ସଂଶୋଧନ ହେଲେ ନିବେଶକଙ୍କୁ ଜମା ଟଙ୍କାର ସୁରକ୍ଷା ମିଳିବ । ଏହି ଆଇନ ସଂସଦରେ ପାରିତ ହେବା ପରେ କୌଣସି ବି ବ୍ୟାଙ୍କ ବୁଡିଗଲେ ୯୦ ଦିନ ମଧ୍ୟରେ ଖାତାଧାରକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିବ ବୀମା ଆଧାରରେ ମିଳିବ । ସୀତାରମଣ କହିଛନ୍ତି କି, ଏହି ନିୟମ ଅଧିନରେ କମରର୍ସିଆଲ ଅପରେଟେଡ ସବୁ ବ୍ୟାଙ୍କ ଆସିବେ । ସୀତାରମଣ ଆହୁରି କହିଛନ୍ତି କି ଏଭଳି ବୀମା ପାଇଁ ଗ୍ରାହକ ମାନଙ୍କ ପାଇଁ ବ୍ୟାଙ୍କ ଟଙ୍କା ଜମାକରିଥାଏ ।

ଡିଆଇସିଜିସି ମୁଖ୍ୟତ ଭାରତୀୟ ରିଜର୍ଭବ୍ୟାଙ୍କର ସବସିଡାରୀ ଓ ଏହା ବ୍ୟାଙ୍କ ଜମା ଉପରେ ବୀମା ଉପଲବ୍ଧ କରାଇଥାଏ । ବର୍ତମାନ ପର୍ଯ୍ୟନ୍ତ ଏଭଳି ନିୟମ ଥିଲା କି ଜମାକାରୀଙ୍କ ୫ ଲକ୍ଷ ଟଙ୍କାର ବୀମା ଥିଲେ ବି ତାଙ୍କୁ ତାଙ୍କର ଜମାଟଙ୍କା ମିଳୁନଥିଲା । ରିଜର୍ଭବ୍ୟାଙ୍କର ଲମ୍ବା ପ୍ରକ୍ରିୟା ପରେ ଜମାକାରୀମାନେ ଟଙ୍କା ଫେରିପାଇବା ନେଇ ଆଶଂକା ସୃଷ୍ଟି ହେଉଥିଲା ।