କରୋନାକୁ ନେଇ ଆସିଲା ଭଲ ଖବର । ଖୁବଶୀଘ୍ର ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ଟିକା ନେଇଥିବା ସ୍ୱେଚ୍ଛାସେବୀଙ୍କ ଶରୀରରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇନଥିବା କହିଲେ ସମ୍ ଡାକ୍ତର

583

କନକ ବ୍ୟୁରୋ: ସମ ହସ୍ପିଟାଲରେ ଖୁବ ଶୀଘ୍ର ଆରମ୍ଭ ହେବ କୋଭାକସିନ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ପ୍ରକ୍ରିୟା ଜାରି ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଜାରି ରହିଛି ବୋଲି କହିଛନ୍ତି ପରୀକ୍ଷଣର ମୁଖ୍ୟ ପରୀକ୍ଷକ ତଥା ସମ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ପ୍ରଫେସର ଡକ୍ଟର ଭେଙ୍କେଟ ରାଓ । ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ୱେଚ୍ଚାସେବୀମାନଙ୍କ ଶରୀରରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖାଦେଇନଥଇବା ଭେଙ୍କେଟ ରାଓ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟ ଟୀକା ନେଇଥିବା ସ୍ୱେଚ୍ଚାସେବୀ ମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତଥା କେତେ ପରିମାଣରେ ରୋଗ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି, ଏ ସଂପର୍କରେ ଜାଣିବାକୁ ରକ୍ତନମୂନା ସଂଗ୍ରହ କରାଯାଇଛି । ଭାରତ ବାୟୋଟେକ ଓ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚର ମିଳିତ ସହଯୋଗରେ ଏହି ଟୀକା କୋଭାକସିନର ପ୍ରସ୍ତୁତି ଚାଲିଥିବା ବେଳେ ଟୀକା ପରୀକ୍ଷଣ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ମନୋନୀତ କରାଯାଇଛି । ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସମ ହସ୍ପିଟାଲକୁ ଏହି ଅନୁମତି ମିଳିଛି ।