ଓଡି଼ଶାରେ କରୋନା ଆଣୁଛି ଭଲ ଖବର । ଶହେ ଜଣଙ୍କ ପରୀକ୍ଷାରେ ୯ ଜଣ ହେଉଛନ୍ତି ସଂକ୍ରମିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ୮ ଦିନ ଭିତରେ କମି ଯାଇପାରେ ସଂକ୍ରମଣ ।

510

କନକ ବ୍ୟୁରୋ : କରୋନା ଭିତରେ ଆସୁଛି ଭଲ ଖବର । ଦ୍ୱିତୀୟ ଲହରର ପିକ ପରେ ଖସୁଛି କରୋନା ଗ୍ରାଫ । ଆଉ ଜୁନ ପହିଲାରୁ ଖସୁଛି ସଂକ୍ରମଣ । କମୁଛି ପଜିଟିଭିଟି ରେଟ୍ । ଗତ ୨୪ ଘଂଟା ଭିତରେ ସଂକ୍ରମଣ ହାର ୧୦ ପ୍ରତିଶତ ତଳକୁ ଖସିଆସିଛି । ଅର୍ଥାତ୍ ଯଦି ୧୦୦ ଜଣ କରୋନା ପରୀକ୍ଷା କରୁଛନ୍ତି, ସେଥିରୁ ୧୦ ପ୍ରତିଶତରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମାତ୍ର ୧୨ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ହଜାର ଉପରେ ରହିଛି । ସଂକ୍ରମଣ ହାର ୧୦ ପ୍ରତିଶତରୁ ହ୍ରାସ ପାଇଥିବାରୁ ସ୍ଥିତିରେ ସୁଧାର ଆସୁଛି । ଜୁନ୍ ୧୬ ତାରିଖ ଆଡକୁ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଆସିଯାଇଥିବ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ । ଏହା ପରେ ଲକଡାଉନକୁ କୋହଳ କରାଯାଇପାରେ ।

୧୦ ପ୍ରତିଶତ ତଳକୁ ଖସିଲା ରାଜ୍ୟର ଦୈନିକ ସଂକ୍ରମଣ । ଜୁନ ପ୍ରଥମ ୬ ଦିନରେ ୫ ପ୍ରତିଶତ କମିଲା ସଂକ୍ରମଣ ହାର । କରୋନା ଦ୍ୱିତୀୟ ଲହର ଶୀର୍ଷ ଛୁଇଁବା ପରେ ଏବେ ଦ୍ରୁତ ଗତିରେ ତଳମୁହାଁ ହେଉଛି ରାଜ୍ୟର କରୋନା ଗ୍ରାଫ୍ । ଆଶ୍ୱସ୍ତିର ବିଷୟ ହେଉଛି, କରୋନା ଟେଷ୍ଟ ବଢୁଥିବା ବେଳେ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । ବିଶେଷ କରି ଜୁନ ଆରମ୍ଭରୁ ସ୍ଥିତି ସୁଧୁରୁଛି । ୬ ଦିନର ସଂକ୍ରମଣ ଉପରେ ନଜର ପକାନ୍ତୁ ।

ଜୁନ ୧ ତାରିଖରେ ସଂକ୍ରମଣ ହାର ଥିଲା ୧୪.୦୨ ପ୍ରତିଶତ । ୨ ଓ ୩ ତାରିଖରେ ଏହି ହାର ପାଖାପାଖି ଦେଢ଼ ପ୍ରତିଶତ କମି ଆସିଥିଲା । ଏହି ଦୁଇ ଦିନ ଟେଷ୍ଟ-ପଜିଟିଭିଟି ରେଟ୍ ବା ସଂକ୍ରମଣ ହାର ୧୨.୫୯ ପ୍ରତିଶତ ରହିଥିଲା । ଜୁନ ୪ ତାରିଖରେ ଆହୁରି ତଳକୁ ଖସିଥିଲା, ସଂକ୍ରମଣ ହାର ୧୧.୨୬ ପ୍ରତିଶତକୁ ଚାଲି ଆସିଥିଲା । ୫ ତାରିଖ ଦିନ ୧୦.୫୧ ପ୍ରତିଶତ ରହିଥିଲା ପଜିଟିଭିଟି ରେଟ୍ । ଆଉ ଗତ ୨୪ ଘଂଟା ଭିତରେ ସଂକ୍ରମଣ ହାର ୧୦ ପ୍ରତିଶତ ତଳକୁ ଖସି ଆସିଛି । ଅର୍ଥାତ୍ ଯଦି ୧୦୦ ଜଣ କରୋନା ପରୀକ୍ଷା କରୁଛନ୍ତି, ସେଥିରୁ ୧୦ ପ୍ରତିଶତରୁ କମ୍ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗୋଟିଏ ଦିନରେ ୭୧ ହଜାର ୯୭୩ କରୋନା ପରୀକ୍ଷା କରାଯାଇଥିଲା, ସେଥିରୁ ୭ ହଜାର ୨ ଜଣ ପଜିଟିଭ୍ ଥିବା ଜଣାପଡିଛି । ସଂକ୍ରମଣ ହାର ରହିଛି ୯.୭୨ ପ୍ରତିଶତ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ସଂକ୍ରମଣ ହାର ତଳମୁହାଁ ହୋଇଛି । ଏଇ ମାସ ଶେଷ ସୁଦ୍ଧା ଭଲ ସ୍ଥିତିକୁ ଆସିଯାଇଥିବ ଓଡ଼ିଶା ।

ଓଡ଼ିଶା କରୋନା ମିଟର
ତାରିଖ         ଟେଷ୍ଟ              ଆକ୍ରାନ୍ତ           ସଂକ୍ରମଣ ହାର
ଜୁନ ୧       ୬୨,୨୯୩           ୮,୭୩୫            ୧୪.୦୨%
ଜୁନ ୨       ୬୬,୬୮୩          ୮,୩୯୯            ୧୨.୫୯%
ଜୁନ ୩      ୭୦,୧୭୮           ୮,୮୩୯            ୧୨.୫୯%
ଜୁନ ୪      ୬୮,୬୦୪           ୭,୭୨୯             ୧୧.୨୬%
ଜୁନ ୫      ୭୦,୩୧୩          ୭,୩୯୫            ୧୦.୫୧%
ଜୁନ ୬      ୭୧,୯୭୩           ୭,୦୦୨              ୦୯.୭୨%

ଏ ହେଉଛି ଓଡ଼ିଶାର କରୋନା ମ୍ୟାପ୍ । ଦିନକୁ ଦିନ ରେଡ୍ ଜୋନରେ ଥିବା ଜିଲ୍ଲା ସଂଖ୍ୟା କମି ଆସୁଛି । ମାତ୍ର ୧୨ଟି ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ହଜାର ଉପରେ ରହିଛି । ସଂକ୍ରମଣ ହାର ୧୦ ପ୍ରତିଶତରୁ ହ୍ରାସ ପାଇଥିବାରୁ ସ୍ଥିତିରେ ସୁଧାର ଆସୁଛି । ଦୈନିକ ଯେତିକି ଆକ୍ରାନ୍ତ ହେଉଛନ୍ତି, ତା’ଠାରୁ ଅଧିକ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଜୁନ୍ ୧୬ ତାରିଖ ଆଡକୁ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଆସି ଯାଇଥିବ ବୋଲି ଅନୁମାନ କରୁଛନ୍ତି ବିଶେଷଜ୍ଞ । ଏହା ପରେ ଲକଡାଉନକୁ କୋହଳ କରାଯାଇପାରେ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ସଂକ୍ରମଣ ହାର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ ଆଗାମୀ ଦିନରେ କରୋନାର ଦ୍ୱିତୀୟ ଲହର ପ୍ରକୋପ କମିବା ଆଶା କରାଯାଉଛି ।