କନକ ବ୍ୟୁରୋ: ବାପାଙ୍କ କୌଳିକ ବୃତିକୁ ଆପଣାଇ ଆତ୍ମନିର୍ଭର ହୋଇଛନ୍ତି ଇଞ୍ଜିନିୟର ପୁଅ । ବି-ଟେକ୍ ପାସ୍ କରିବା ପରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ ଭଲ ଦରମାରେ ଚାକିରି କରୁଥିଲେ । ହେଲେ ବାପାଙ୍କ ବ୍ୟବସାୟକୁ ବଂଚାଇ ରଖିବା ପାଇଁ ଚାକିରି ଛାଡ଼ି ବ୍ୟବସାୟ କରୁଛନ୍ତି ଉଚ୍ଚଶିକ୍ଷିତ ଯୁବକ ଲିଙ୍ଗରାଜ ସାହୁ । ଖାଲି ଲିଙ୍ଗରାଜ ନୁହଁନ୍ତି ତାଙ୍କ ସାନ ଭାଇ ପ୍ରତାପ ଚନ୍ଦ୍ର ସାହୁ ମଧ୍ୟ ଗ୍ରାଜୁଏସନ୍ ପରେ ଭାଇଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । କଟକ ସାଲେପୁର ବ୍ଲକ ପିର ବଜାର ରହିଛି ସ୍ୱର୍ଗତ କରୁଣାକର ସାହୁଙ୍କ ଓଡ଼ିଶା ପ୍ରସିଦ୍ଧ କାକରା ଦୋକାନ । ପ୍ରଥମେ କରୁଣାକର ସାହୁ ଗାଁ ଗାଁ ବୁଲି କାକରା ବିକ୍ରି କରୁଥିଲେ । ଭଲ ସ୍ୱାଦ ଓ ଉତମ ଗୁଣବତା ପାଇଁ ଲୋକଙ୍କ ମାନେ ତାଙ୍କ ହାତ ତିଆରି କାକରାକୁ ବେଶ ପସନ୍ଦ କଲେ । ପରେ ବଜାରରେ ଏକ ଦୋକାନ କଲେ କରୁଣାକର । ଆଉ ସେହି ବ୍ୟବସାୟରୁ ମିଳୁଥିବା ରୋଜଗାରରେ ଦୁଇ ପୁଅଙ୍କୁ ପାଠ ପଢ଼ାଇ ଉଚ୍ଚ ଶିକ୍ଷିତ କରାଇଲେ । ତାଙ୍କ ଦେହାନ୍ତ ପରେ ଦୁଇ ପୁଅ କୌଳିକ ବୃତିକୁ ବଂଚାଇ ରଖିଛନ୍ତି । ନିଜେ ଭଲ ରୋଜାଗାର କରିବା ସହ ଅନ୍ୟ ୧୦ଟି ପରିବାରକୁ ରୋଜଗାର ଦେଇଛନ୍ତି ।

Advertisment

କାକରା ପ୍ରସ୍ତୁତି ପ୍ରଣାଳୀକୁ ନେଇ ଲିଙ୍ଗରାଜ କୁହନ୍ତି ତାଙ୍କ ବାପାଙ୍କ ସମୟରେ ଯେଉଁ ପଦ୍ଧତିରେ କାକରା ତିଆରି କରାଯାଉଥିଲା ଏବେ ସେହି ପ୍ରଣାଳୀ ଜାରି ରହିଛି । ନଡ଼ିଆ, ଚିନି, ଗୁଜୁରାତି ଓ ଅନ୍ୟାନ୍ୟ ସାମଗ୍ରୀ ମିଶ୍ରଣରେ ପ୍ରସ୍ତୁତ ହେଉଛି କାକରା । ଭଲ ବ୍ୟବସାୟ ହେଉଥିବା ବେଳେ ଦୁଇ ଭାଇ ଏହି ବ୍ୟବସାୟ ଯୋଗୁଁ ବେଶ ଉନ୍ନତି କରିଛନ୍ତି । ଅନ୍ୟମାନଙ୍କୁ ରୋଜଗାର ଦେଇଥିବାରୁ ବେଶ ଖୁସି ପ୍ରକାଶ କରିଛନ୍ତି ।

ଜିଲ୍ଲା ତଥା ଜିଲ୍ଲା ବାହାରୁ ଲୋକମାନେ ଆସି ତାଙ୍କ ଦୋକାନରୁ କାକରା କିଣିନିଅନ୍ତି । ନିକଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦୋକାନରୁ କାକରା ଖାଇବା ସହ ବାପାଙ୍କ କୌଳିକ ବୃତିକୁ ବଂଚାଇ ରଖିଥିବାରୁ ଲିଙ୍ଗରାଜଙ୍କୁ ପ୍ରଶଂସା କରିଥିଲେ । ସୋସିଆଲ ମିଡ଼ିଆରେ ଫଟୋ ଶେୟାର କରି ଅନ୍ୟମାନଙ୍କୁ ଆତ୍ମନିର୍ଭର ହେବାର ବାର୍ତା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।