ଫୁଲ ଚାଷରୁ ମିଳୁଛି ଭଲ ରୋଜଗାର । ୨ ଗୁଣ୍ଠ ଜମିରେ ଗେଣ୍ଡୁ ଚାଷ କରିଛନ୍ତି ସୋର ତଳନଗର ଗାଁର ଚାଷୀ ପ୍ରମୋଦ

221

କନକ ବ୍ୟୁରୋ: ଗେଣ୍ଡୁଫୁଲ ଚାଷ କରି ସ୍ୱାବଲମ୍ବୀ ହେଲେ ଯୁବକ । ଅନ୍ୟ ଚାଷ ଅପେକ୍ଷା ଗେଣ୍ଡୁ ଚାଷରୁ ଅଧିକ ଲାଭ ମିଳୁଥିବାରୁ ଏହି ଚାଷ କରୁଛନ୍ତି ଚାଷୀ । ସୋର ତଳନଗର ଗାଁର ଯୁବ ଚାଷୀ ପ୍ରମୋଦ ନିଜ ଜମିରେ ଗେଣ୍ଡୁ ଚାଷ କରି ଭଲ ରୋଜଗାର କରୁଛନ୍ତି । ପୂର୍ବରୁ ପରିବା ଚାଷ କରୁଥିଲେ ପ୍ରମୋଦ । ହେଲେ ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ଉଜୁଡ଼ି ଯାଉଥିଲା । ଯାହା କିଛି ଅମଳ ହେଉଥିଲା ସେଥିରେ ପରିବାର ଚଳାଇବା କଷ୍ଟକର ହେଉଥିଲା । ତେଣୁ ଚଳିତ ବର୍ଷ ଗେଣ୍ଡୁ ଚାଷ କରିବାକୁ ନିଷ୍ପତି ନେଇଥିଲେ । ପ୍ରଥମେ ମଞ୍ଜି କିଣି ଚାରା ପକାଇଥିଲେ । ଭଲ ଚାରା ହେବା ପରେ ୨ ଗୁଣ୍ଠ ଜମିରେ ଗେଣ୍ଡୁ ଚାଷ କରିଛନ୍ତି । ଏଥିପାଇଁ ସେ ୨୦ ହଜାର ଟଙ୍କା ବିନିଯୋଗ କରିଛନ୍ତି । ପାଖାପାଖି ୭୦ ହଜାର ଟଙ୍କା ରୋଜଗାର ହୋଇଥିବା ବେଳେ ଆଗକୁ ଭଲ ରୋଜଗାର ହେବା ନେଇ ସେ ଆଶା ରଖିଛନ୍ତି ।

ରାତି ୩ଟାରୁ ଉଠି ଫୁଲ ତୋଳନ୍ତି ପ୍ରମୋଦ । ଫୁଲ ତୋଳିବା ଠାରୁ ଆରମ୍ଭ କରି ପାଣି ମଡ଼ାଇବା ପର୍ଯ୍ୟନ୍ତ ସମସ୍ତ କାମ ସେ କରନ୍ତି । ଏହି ଫୁଲ ସେ ସୋର, ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ବିକ୍ରି କରନ୍ତି । ପରିବା ଚାଷ ଅପେକ୍ଷା ଏହି ଚାଷରୁ ଭଲ ଲାଭ ମିଳୁଥିବାରୁ ଆଗକୁ ସେ କେବଳ ଗେଣ୍ଡୁ ଚାଷ କରିବା ପାଇଁ ମନସ୍ତ କରିଛନ୍ତି । ଫୁଲ ସହିତ ସେ ଥାଇଲାଣ୍ଡ ବରକୋଳି ଚାଷ କରିଛନ୍ତି । ତାଙ୍କ ଜମିରେ ୪ଟି ପ୍ରଜାତିର ଥାଇଲାଣ୍ଡ ବରକୋଳି ଚାଷ କରିଛନ୍ତି ପ୍ରମୋଦ । ୨ ଏକର ଜମିରେ ସେ ଏହି ଚାଷ କରିଥିବା ବେଳେ ୮ ମାସ ପରେ ଫଳ ଫଳିଛି ।

କେବଳ ଫୁଲ ଓ ଫଳ ଚାଷ ନୁହେଁ ତାଙ୍କ ଜମିରେ ସୋରିଷ ଚାଷ ମଧ୍ୟ ସେ କରିଛନ୍ତି । ଭଲ ଅମଳ ହେବା ନେଇ ମଧ୍ୟ ଆଶା ରହିଛି । ଲେମ୍ବୁ, ମାଛ, ଦେଶୀ ଓ ବ୍ରଏଲର କୁକୁଡ଼ା ଚାଷ ମଧ୍ୟ କରିଛନ୍ତି ପ୍ରମୋଦ । ଏହି ଚାଷ ମଧ୍ୟ ବେଶ ଲାଭଦାୟକ । ତାଙ୍କ ବାଡ଼ିରେ ସୁନାର ଫସଲ କରି ବେଶ ଖୁସି ପ୍ରକାଶ କରିଛନ୍ତି ଯୁବ ଚାଷୀ ।