କନକ ବ୍ୟୁରୋ : ଅରୁଣାଚଳ ପ୍ରଦେଶରେ ଜେଡିୟୁକୁ ବିଜେପି ଝଟକା ଦେବା ପରେ ଏବେ ବିହାରରେ ନିତୀଶଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିହାରରେ ବିଜେପି ଓ ଜେଡିୟୁ ମିଳିତ ଭାବେ ସରକାର କରିଥିବା ବେଳେ ଅରୁଣାଚଳ ପ୍ରଦେଶରେ ଜେଡିୟୁର ଥିବା ୭ ଜଣ ବିଧାୟକଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ବିଜେପି ନିଜ ଦଳରେ ସାମିଲ କରାଇଛି । ଏହା ପରେ ବିହାରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂଜୟ ପାଶୱାନ ନିତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ନିତୀଶଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଶନିବାର ଦିନ ସଂଜୟ ପାଶୱାନ କହିଛନ୍ତି କି ନିତୀଶ କୁମାର ବିହାରର ଗୃହ ବିଭାଗ ନିଜ ହାତରୂୁ ଛାଡି ଅନ୍ୟ କାହାକୁ ଏହି ପଦରେ ବସାନ୍ତୁ । କହିରଖୁ କି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ତାଙ୍କ ପାଖରେ ଗୃହ, ସାଧାରଣ ପ୍ରଶାସନ ଓ ସତର୍କତା ବିଭାଗ ରଖିଛନ୍ତି ।
ସଂଜୟ ପାଶୱାନ କହିଛନ୍ତି କି ନିତୀଶଙ୍କ ପାଖରେ ଅନେକ କାମର ବୋଝ ରହିଛି । ତେଣୁ ସେ ଗୃହ ବିଭାଗ ଅନ୍ୟ କାହାକୁ ଦେବା ଦରକାର ‘ମୁଁ କହୁ ନାହିଁ କି ଗୃହ ବିଭାଗ ବିଜେପିକୁ ଦିଆଯାଉ’ । ରାଜ୍ୟରେ ବିଗୁଡୁଥିବା କାନନୁ ବ୍ୟବସ୍ଥାର ସୁଧାର ଆଣିବାକୁ ସେ ଏଭଳି କଥା କହିଥିବା କହିଛନ୍ତି । ତାଙ୍କ କହିବା ମୁତାବକ ପୂର୍ବ ୨ ସପ୍ତାହ ମଧ୍ୟରେ ରାଜ୍ୟରେ ୧୨ ରୁ ଅଧିକ ଲୋକଙ୍କର ହତ୍ୟା ହୋଇସାରିଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁଶାସନ କରିବାକୁ ହେଲେ ନିତୀଶ କୁମାର ଗୃହ ବିଭାଗ ଛାଡିବ ନିହାତି ଦରକାର ।
କହିରଖୁ କି ଅରୁଣାଚଳ ପ୍ରଦେଶରେ ୬ ଜଣ ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିହାର ମେଣ୍ଟସରକାରରେ ଏବେ ଶୀତଳଯୁଦ୍ଧ ଦେଖିବାକୁ ମିଳିଛି । ଏନେଇ ଗଣମାଧ୍ୟମର ପ୍ରଶ୍ନକୁ ଏଡାଇ ଯାଇଛନ୍ତି ନିତୀଶ କୁମାର । ହେଲେ ଭିତରେ କ’ଣ ଚାଲିଛି ତାହା ଧିରେ ଧିରେ ପଦାରେ ପଡିବାରେ ଲାଗିଛି । ଅନ୍ୟପଟେ ଏହାକୁ ନେଇ ବିରୋଧୀ ବି ବେସ୍ ଆକ୍ରମଣ କରିବାରେ ଲାଗିଛନ୍ତି । ବିରୋଧୀ କହୁଛନ୍ତି କି ନିତୀଶ ଧିରେ ଧିରେ ଜେଡିୟୁକୁ ବିଜେପିରେ ବିଲିନ କରିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ବିଜେପି ଏଭଳି କାର୍ଡ ଖେଳି ଯଦି ସରକାର ଭାଙ୍ଗିଦିଏ ତାହେଲେ କାହାକୁ ନେଇ ଜେଡିୟୁ କିମ୍ବା ବିଜେପି ସରକାର ଗଠନ କରିବ ତାହା ବି ବଡ ପ୍ରଶ୍ନବାଚୀ । କାରଣ ନା ବିଜେପି ପାଖରେ ପାଖା ପାଖି ସଂଖ୍ୟା ଗରିଷ୍ଠତା ରହିଛି ନା ଜେଡିୟୁ ପାଖରେ ।