କନକ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ରେଳ ଯାତ୍ରୀଙ୍କ ପାଇଁ ରେଳବାଇ ବୋର୍ଡର ଭଲ ନିଷ୍ପତି । ଜଣେ ସରକାରୀ କର୍ମଚାରୀଙ୍କ ଟିକେଟ କନଫର୍ମ ଥିଲେ ଯଦି ସେ କୌଣସି କାରଣରୁ ଯାଇପାରୁନାହାଁନ୍ତି ତେବେ ସେହି ଟିକେଟରେ ଆଉ ଜଣେ ସରକାରୀ କର୍ମଚାରୀ ଯାଇପାରିବେ । ହେଲେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ପରିଚୟ ପତ୍ର ସହ ରେଳବାଇ କର୍ତ୍ତୃର୍ପକ୍ଷଙ୍କ ନିକଟରେ ଏକ ଦରଖାସ୍ତ ଜମା କରିବାକୁ ପଡିବ । ସେହିପରି ଜଣେ ଛାତ୍ରଙ୍କ ଟିକେଟ କନଫର୍ମ ଥିଲେ ଓ ସେ ଯାଇ ନପାରିଲେ ସେହି ଟିକେଟକୁ ଅନ୍ୟ ଜଣେ ଛାତ୍ରଙ୍କୁ ସ୍ଥାନାନ୍ତର କରିପାରିବେ ।
ପୂର୍ବରୁ ଟିକେଟ କନଫର୍ମ ଥିଲେ ଏବଂ ସେ ଯାଇନପାରିଲେ ସେହି ଟିକେଟରେ ତାଙ୍କ ରକ୍ତ ସମ୍ପର୍କୀୟ ଯାଇପାରିବାର ବ୍ୟବସ୍ଥା ରହିଥିଲା । ଅର୍ଥାତ ଏହି କନଫର୍ମ ଟିକେଟରେ, ଟିକେଟ କରିଥିବା ଲୋକଙ୍କ ସ୍ଥାନରେ ବାପା, ମାଆ, ଭାଇ, ଭଉଣୀ, ପୁଅ, ଝିଅ, ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ମଧ୍ୟରୁ ଯେକୌଣସି ବ୍ୟକ୍ତି ଯାଇପାରୁଥିଲେ । ତେବେ ଏଥିପାଇଁ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ରକ୍ତ ସମ୍ପର୍କୀୟ ବୋଲି ପ୍ରମାଣ ପତ୍ର ସହ ଦରଖାସ୍ତ ଜମା କରିବାକୁ ପଡୁଥିଲା । ଏହା ସହିତ ନୂଆ ବର୍ଷରେ ଏକ ସ୍ୱତନ୍ତ୍ର ନମ୍ବର ‘୧୩୯’ ଜାରି କରିଛି ରେଳବାଇ । ଏହି ନମ୍ବରରେ ଯାତ୍ରୀମାନେ ସେମାନଙ୍କ ଯେକୌଣସି ସମସ୍ୟା ନେଇ ରେଳବାଇ କର୍ତ୍ତୃର୍ପକ୍ଷଙ୍କୁ ଜଣାଇପାରିବେ ।
ରେଳବାଇର ସୂଚନା ଅନୁଯାୟୀ , ଏଣିକି ୧୩୯ ରେ ସବୁ ସୁବିଧା ମିଳିବ । ଏହି ଏକକ ହେଲ୍ପ ଲାଇନ ନମ୍ବର ପ୍ରଚଳନ ସହ ପୂର୍ବରୁ ପ୍ରଚଳିତ ସାଧାରଣ ଅଭିଯୋଗ ପାଇଁଥିବା ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା ଲାଗି ଉଦ୍ଦିଷ୍ଟ ଥିବା ୧୦୭୨ , ଏସ୍ଏମ୍ ଏସ୍ ଅଭିଯୋଗ ଲାଗି ଥିବା ନମ୍ବର ୯୭୧୭୬୩୦୯୮୨ , ବଗି ସଫେଇ ଲାଗି ୫୮୮୮୮ ଅଥବା ୧୩୮ , ଭିଜିଲାନ୍ସ ଲାଗି ଉଦ୍ଦିଷ୍ଟ ଥିବା ୧୫୨୨୧୦ , କ୍ୟାଟରିଙ୍ଗ ସର୍ଭିସ ଲାଗି ଥିବା ୧୮୦୦୧୧୧୩୨୧ ଆଉ ଦରକାର ପଡିବ ନାହିଁ । ଏହି ସବୁ ନମ୍ବରର ସେବା ଓ ସୁବିଧା ୧୩୯ ଡାଏଲ କଲେ ହିଁ ମିଳିବ । ଯାତ୍ରୀଙ୍କୁ ସଂଗଠିତ ଏବଂ ସହଜରେ ତଥା ଶିଘ୍ର ସେବା ଯୋଗାଇବା ଲାଗି ରେଳବାଇ ପକ୍ଷରୁ ଏହି ଏକକ ହେଲ୍ପ ଲାଇନ ନମ୍ବର ପ୍ରଚଳନ କରାଯାଇଛି ।