ସେପାରିରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଆତ୍ମହତ୍ୟା କରି ହାରିଲେ ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ । ଟ୍ୱିଟ୍ କରି ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ।

685

କନକ ବ୍ୟୁରୋ: ଅଭିନେତା ସୁସାନ୍ତ ସିଂ ରାଜପୁତଙ୍କ ଦେହାନ୍ତ । ମୁମ୍ବାଇ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ଖବର ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ଆଉ ଏହାକୁ ନେଇ ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ବଡ଼ ଦୁଖ ଦାୟକ ବୋଲି ଟ୍ୱିଟରେ ଲେଖିଛନ୍ତି ମୋଦୀ । ଏହା ସହ ସେ ଲେଖିଛନ୍ତି ଜଣେ ଯୁବ ତାରକା ଖୁବ୍ ଶୀଘ୍ର ବିଦାୟ ନେଇଛନ୍ତି । ଟିଭି ଏବଂ ଚଳଚ୍ଚିତ୍ରରେ ଦୁନିଆରେ ତାଙ୍କ ଅଭିନୟ ବେଶ ପ୍ରଶଂସାନୀୟ ଥିଲା । ତାଙ୍କ ମୃତ୍ୟୁରେ ମୋଦୀ ଚକିତ ଥିବା ମଧ୍ୟ ଲେଖିିଛନ୍ତି । ଏପରି ଦୁଃଖ ସମୟରେ ତାଙ୍କ ପରିବାରକୁ ଭଗବାନ ସାହା ହୁଅନ୍ତୁ ବୋଲି ଟ୍ୱିଟରେ ଲେଖିଛନ୍ତି ମୋଦୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି ।

ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ବଲିଉଡ ଜଗତ ସମେତ ଦର୍ଶକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ବଲିଉଡ ଅଭିନେତା ଅନୁପମ ଖେର ଟୁଇଟ କରି ସୁଶାନ୍ତଙ୍କ ବିୟୋଗକୁ ଗ୍ରହଣ କରିପାରି ନାହାନ୍ତି । ଏଭଳି ଚରମ ପଦେକ୍ଷପ କାହିଁକି ନେଲ ବୋଲି ପ୍ରଶ୍ନ କରିଛନ୍ତି ଅନୁପମ ଖେର । ସେହିପରି ଅଭିନେତା ସଂଜୟ ଦତ, କ୍ରିକେଟର ଶିଖର ଧାୱନ, ବିଜେପି ନେତ୍ରୀ ସ୍ମୃତିଇରାନୀ ଟୁଇଟ କରି ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଶୋକ ପ୍ରକାଶ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ରବିଶଙ୍କର ପ୍ରସାଦ, କ୍ରିକେଟର ସଚ୍ଚିନ ତେନ୍ଦୁଲକର, ବିରାଟ କୋହଲି, ବଲିଉଡ ଅଭିନେତା ଅଜୟ ଦେବଗନ, ଅଭିଷେକ ବଚ୍ଚନ, ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି । ତେବେ ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି, ସୁଶାନ୍ତ ସିଂ ରାଜପୁତ ଗତ ୬ ମାସ ହେଲା ମାନସିକ ଅବସାଦଗ୍ରସ୍ତ ହୋଇଥିଲେ । ଗତକାଲି ରାତିରେ ତାଙ୍କ ବାସଭବନରେ କିଛି ବନ୍ଧୁଙ୍କ ସହ ରହିଥିଲେ ସୁଶାନ୍ତ । ତେବେ ରାତିରେ ବନ୍ଧୁମାନେ ଚାଲିଯାଇଥିବା ଜଣାପଡିଛି । ଅନ୍ୟପଟେ ପାଟନାରେ ଥିବା ତାଙ୍କ ପରିବାର ଲୋକ ଆତ୍ମହତ୍ୟା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି । କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍ରେ ମୁଖ୍ୟ ଭୁମିକାରେ ଅଭିନୟ କରିଥିଲେ ସୁସାନ୍ତ ସିଂ ରାଜପୁତ । ଏହି ଫିଲ୍ମ ଦର୍ଶକଙ୍କ ପାଖରେ ତାଙ୍କୁ ବେଶ ଲୋକପ୍ରିୟ କରାଇଥିଲେ । କାୟପୋଛେ ଫିଲ୍ମ ଜରିଆରେ ବଲିଉଡକୁ ପ୍ରବେଶ କରିଥିଲେ ସୁଶାନ୍ତ ରାଜପୁତ । ସେହିପରି ଡିଟେକ୍ଟିଭ ବ୍ୟୋମକେଶ, ଛିଛୋରେ, ସୁଦ୍ଧ ଦେଶୀ ରୋମାନ୍ସ, କେଦାରନାଥ, ରାଫତା, ଡ୍ରାଇଭ ଭଳି ଫିଲ୍ମରେ ସେ ନିଜ ଅଭିନୟର ଛାପ ଛାଡି ଯାଇଛନ୍ତି । ନିଜ ଅଭିନୟ ପାଇଁ ସୁଶାନ୍ତ ସିଂ ରାଜପୁତ, ଫିଲ୍ମଫେୟାର ଆୱାର୍ଡ ସହ ବିଭିନ୍ନ ଅନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି । ଉଭୟ ଛୋଟ ଓ ବଡ ପରଦାର ଲୋକପ୍ରିୟ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ ।