କନକ ବ୍ୟୁରୋ: ୫ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ବିଡିଓ। ଧର୍ମଗଡ଼ ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଧରିଲା ଭିଜିଲାନ୍ସ। ଭବାନୀପାଟଣାରୁ ଏକ ବୈଠକ ସାରି ଫେରୁଥିବା ବେଳେ ଜାରିଙ୍ଗ ଛକ ନିକଟରେ ବିଡିଓଙ୍କୁ ଅଟକାଇଥିଲା ଭିଜିଲାନ୍ସ। ତାଙ୍କ ସରକାରୀ କାରରୁ ନଗଦ ୪ ଲକ୍ଷ ୯୨ ଟଙ୍କା ଟଙ୍କା ଜବତ ହୋଇଛି। ତେବେ ଟଙ୍କା ନେଉଥିବା ଖବର ପୂର୍ବରୁ ପାଇଥିଲା ଭିଜିଲାନ୍ସ। ଟଙ୍କା କାହାର ବୋଲି ପଚାରିବାରୁ ସଠିକ ଉତ୍ତର ଦେଇ ନ ପାରିଥିଲେ ବିଡିଓ। ତାଙ୍କ ବ୍ୟତୀତ ଏହି ଗାଡିରେ ଥିବା ଏପିଓ କ୍ଷେତ୍ରମୋହନ ମାଝୀ, ବ୍ଲକ ପ୍ରୋଗ୍ରାମ କୋଡ଼ିନେଟର ମଧୁସୂଦନ ସାହୁଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଅଟକ ରଖିଥିବା ଜଣାପଡିଛି। ଅକ୍ଷମିତା କାର୍ତ୍ତିକଙ୍କ ପୈତୃକ ଘର କୋରାପୁଟ, ଭୁବନେଶ୍ୱର, ରାୟଗଡ଼ା ଏବଂ ଗୋଲାମୁଣ୍ଡା ବ୍ଲକର ଦୁଇ ଜାଗାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିବା ନେଇ ସୂଚନା ଦିଆଯାଇଛି।