କନକ ବ୍ୟୁରୋ : କିଛି ଦଶନ୍ଧି ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ଗଢି ବିଶ୍ୱର ବୃହତ ମହାଶକ୍ତିରେ ପରିଣତ ହେବ । କେବଳ ଜାପାନ କି ଜର୍ମାନୀ ନୁହେଁ ଆମେରିକାକୁ ମଧ୍ୟ ଟପିଯିବ । ଭାରତକୁ ନେଇ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଗୋଲଡମ୍ୟାନ ସାକ୍ସ ରିପୋର୍ଟ ଏଭଳି ଆକଳନ କରିଛି । ଆଉ ଏଥିରେ ଭାରତର ଜନସଂଖ୍ୟା ହିଁ ଅର୍ଥନୀତିକୁ ଆଗକୁ ବଢାଇନେବରେ ପ୍ରମୁଖ ଭୂମିକା ତୁଲାଇବ । ଏବେ ବିଶ୍ୱର ପଞ୍ଚମ ବଡ ଆର୍ଥିକ ମହାଶକ୍ତି ଭାବେ ଭାରତ ରହିଛି ।

Advertisment

ଭାରତ ଉପରେ ଜର୍ମାନୀ, ଜାପାନ, ଚୀନ ଓ ଶୀର୍ଷରେ ଆମେରିକା ରହିଛି । ଆଗକୁ ଶୀର୍ଷ ସ୍ଥାନରେ ଚୀନ ପହଞ୍ଚିପାରେ ଆଉ ୨୦୭୫ ବେଳକୁ ଭାରତ ବିଶ୍ୱର ଦ୍ୱିତୀୟ ବଡ ମହାଶକ୍ତି ଭାବେ ଉଭା ହେବ । ଗୋଲଡମ୍ୟାନ ସାକ୍ସ ରିପୋର୍ଟରେ ଉଲ୍ଲେଖ ରହିଛି ବିଶ୍ୱର ସବୁଠୁ ଜନବହୁଳ ରାଷ୍ଟ୍ର ଭାରତର ଜନସଂଖ୍ୟା ହିଁ ଦେଶର ଅର୍ଥନୀତି ବୃଦ୍ଧିରେ ସହାୟକ ହେବ । ବିଶେଷ କରି ପ୍ରତିଭା, ଦକ୍ଷତା ଶ୍ରମବଳ ଓ କର୍ମଠ ଯୁବ ଶକ୍ତି ଦେଶର ପୁଞ୍ଜିକୁ ଆଗୁକ ବଢାଇନେବେ ।

ବର୍ତ୍ତମାନ ପ୍ରାୟ ୩ ଟ୍ରିଲିୟନ ଡଲାର ଅର୍ଥନୀତି ଥିବା ଭାରତ ୨୦୭୫ ବେଳକୁ ୫୨.୫ ଟ୍ରିଲିୟନ ଡଲାରର ଏକ ବିଶାଳ ଅର୍ଥନୀତିରେ ପରିଣତ ହେବ । ସେହି ସମୟରେ ୫୭ ଟ୍ରିଲିୟନ ଡଲାର ଅର୍ଥନୀତି ସହ ଚୀନ ଏକ ନମ୍ବର ସ୍ଥାନରେ ରହିବ । ଆମେରିକା ଭାରତ ତଳେ ୫୧.୫ ଟ୍ରିଲିୟନ ଡଲାର ଅର୍ଥନୀତି ସହ ତୃତୀୟ ସ୍ଥାନରେ ରହିବ ବୋଲି ଗୋଲଡମ୍ୟାନ ସଚ୍ସ ରିପୋର୍ଟରେ ଆକଳନ କରାଯାଇଛି ।