୨୪ କ୍ୟାରେଟ ସୁନା ଟିଭି । ଏମିତି ରହିଛି ଫିଚର, କେବଳ ଧନୀ ଲୋକ ହିଁ କିଣିପାରିବେ ।

727

କନକ ବ୍ୟୁରୋ: ଆପଣ ସାଧାରଣତ ବିଭିନ୍ନ ପ୍ରକାର ଟିଭି ଦେଖିଥିବେ । ହେଲେ କେବେ ସୁନାରେ ପ୍ରସ୍ତୁତ ଟିଭି ଦେଖିଛନ୍ତି କି ? ନିକଟରେ ବ୍ରିଟେନର ଏକ କମ୍ପାନୀ ଏବେ ସୁନା ଟିଭିଟିଏ ବଜାରକୁ ଆଣିଛି ଯାହା ବିଷୟରେ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବ୍ରିଟେନର ଆକୁଆଭିଜନ ନାମକ କମ୍ପାନୀ ଏହି ଟିଭିକୁ ପ୍ରସ୍ତୁତ କରିଥିବାବେଳେ ଏଥିରେ ବହୁ ଆକର୍ଷଣୀୟ ଫିଚର ମଧ୍ୟ ରହିଛି । ଟିଭିର ବାହାର ପାଶ୍ୱର୍ ସମ୍ପୂର୍ଣ୍ଣ ୨୪ କ୍ୟାରେଟ ସୁନାରେ ନିର୍ମାଣ ହୋଇଥିବାବେଳେ ଏଥିରେ ଏଲସିଡି ସ୍କ୍ରିନ ରହିଛି ।

ସବୁଠାରୁ ଖାସ କଥାଟି ହେଉଛି ଯେ ଏହି ଟିଭିଟି ୧୦୦ ଇଞ୍ଚର ହୋଇଥିବାବେଳେ ଏହା ସମ୍ପୂର୍ଣ୍ଣ ଜଳନିରୋଧି ଓ ୱାଟରଫ୍ରୁଫ୍ ରହିଛି, ଅର୍ଥାତ କେବଳ ଘରେ ନୁହେଁ ବରଂ ଘର ବାହାରେ ମଧ୍ୟ ଏହି ଟିଭିକୁ ଲଗାଯାଇପାରିବ । ଏହି ଟିଭିରେ ‘ଫୋର କେ ଡେ଼ଫିନିଶନ’ ଦିଆଯାଇଥିବାରୁ ଦର୍ଶକଙ୍କୁ ଆକର୍ଷଣୀୟ ଅନୁଭବ ଦେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟିଭିର ମୂଲ୍ୟ ୧ ଲକ୍ଷ ୮ ହଜାର ପାଉଣ୍ଡ ହୋଇଥିବାବେଳେ ଭାରତୀୟ ମୁଦ୍ରାରେ ଏହି ଟିଭିର ମୂଲ୍ୟ ପାଖାପାଖି ୧ କୋଟି ଟଙ୍କା ।

ବ୍ରିଟେନ ଛଡା ବର୍ତ୍ତମାନ ଆମେରିକା, ମଧ୍ୟପ୍ରାଚ୍ୟ ଦେଶମାନଙ୍କରୁ ଏହି ଟିଭି ପାଇଁ ଅଧିକ ଅର୍ଡର ଆସୁଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି । ଆକବାଭିଜନ ପକ୍ଷରୁ କୁହାଯାଇଛି ଯେ ଯେଉଁମାନେ ସୁନାକୁ ବହୁତ ପସନ୍ଦ କରନ୍ତି ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଟିଭି ପ୍ରସ୍ତୁତ କରାଯାଇଛି । ଏହି ଟିଭିଟି ଧନୀକ ଶ୍ରେଣୀର ଲୋକଙ୍କୁ ନଜରରେ ରଖି ନିର୍ମାଣ କରାଯାଇଥିବାବେଳେ ଅନଲାଇନ ବୁକିଂ କରି ମଧ୍ୟ ଆପଣ ଏହି ଟିଭିକୁ କିଣିପାରିବେ ।