କନକ ବ୍ୟୁରୋ : ପୁରୁଷାନୁକ୍ରମିକ କାଇଁଚ କାରିଗରୀ ବା ଗୋଲଡେନ ଗ୍ରାସ ଦେଇଛି ରୋଜଗାର । ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଆରମ୍ଭ ହୋଇଥିବା ଏହି କାଇଁଚ କାରିଗରୀ କାମ କରି ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କମାଗଡ ଗାଁର ଦୁଇଶହ ପରିବାର ।
ଧର୍ମଶାଳା ବ୍ଲକର କମାଗଡ ଗାଁ । ଏହି ଗାଁର ପ୍ରାଣକୃଷ୍ଣ ମହାନ୍ତି ପ୍ରାୟ ୪୦ବର୍ଷ ତଳେ ଆରମ୍ଭ କରିଥିଲେ କାଇଁଚ କାମ । ସେବେଠୁ ଏହି କାଇଁଚ କାମ ଏହି ଗାଁ ଲୋକଙ୍କର ରୋଜଗାରର ମାଧ୍ୟମ ପାଲଟିଛି । ପାଖାପାଖି ୨ଶହ ପରିବାରର ୭ଶହ ଲୋକ ଏହି କାଇଁଚ କାରିଗରୀ କାମକରି ନିଜ ଗୁଜୁରାଣ ମେଣ୍ଟାଇବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି । କମାଗଡ ଅଂଚଳରେ କାଇଁଚ କାମ କରୁଥିବା କେତେକ ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟରୁ ଶୁଭଶ୍ରୀ ମହିଳା ଏସଏଚଜି ଫେଡରେସନ କାଇଁଛ କାମପାଇଁ ବେଶ୍ ସୁନାମ ଅର୍ଜନ କରିପାରିଛି । ଏଠାରେ କାମ କରୁଥିବା ଗ୍ରାମୀଣ ମହିଳାମାନେ କାଇଁଚ ସାମଗ୍ରୀ ପ୍ରସ୍ତୁତ କରି ମାସକୁ ୩ରୁ ଚାରି ହଜାର ଟଙ୍କା ରୋଜଗାର କରୁଥିବା ବେଳେ ବାର୍ଷିକ ଦୁଇରୁ ତିନି ଲକ୍ଷ ଟଙ୍କାର ବ୍ୟବସାୟ କରିଥାନ୍ତି ।
କାଇଁଚର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଜୁଲାଇ, ଅଗଷ୍ଟ ମାସରେ ଶ୍ରମିକଙ୍କ ଦ୍ୱାରା ଗହୀର ପାଟରୁ କାଇଁଚର କାଠିକୁ ସଂଗ୍ରହ କରି ଏହାକୁ ଛଡାଯାଇ ଖରାରେ ଶୁଖାଇ ରଖାଯାଏ । ପରେ ଏହାକୁ ବିଭିନ୍ନ ଡିଜାଇନରେ ବୁଣାଯାଇ ରଙ୍ଗ ଦିଆଯାଇ ବିକ୍ରି ଯୋଗ୍ୟ କରାଯାଏ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଏହି କାଇଁଚ ସାମଗ୍ରୀର ଚାହିଦା ରହିଥିବା ବେଳେ ଏଠିକାର ମହିଳାମାନେ କାଇଁଚରେ ଟୋପି, ଫୁଲଦାନୀ, ଆସନ, ବିଭିନ୍ନ ଡିଜାଇନର ଗୃହ ସଜା ଉପକରଣ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି ।
ବିଶେଷ କରି ସରକାରଙ୍କ ପକ୍ଷରୁ ଅୟୋଜିତ ପଲ୍ଳିଶ୍ରୀ ମେଳାରେ ଏମାନେ କାରବାର କରି ଦୁଇପଇସା ରୋଜଗାର କରିଥାନ୍ତି । କିନ୍ତୁ ଗତବର୍ଷ କରୋନା ଯୋଗୁଁ ଏହି କାଇଁଚ କାରିଗରମାନେ କ୍ଷତି ସହିଥିବାରୁ ସରକାରଙ୍କ ପକ୍ଷରୁ ଏମାନଙ୍କୁ ଆର୍ଥିକ ସହାୟତା ଦିଆଯାଇଛି । ଯାହାଫଳରେ ଏମାନେ ପୁଣି ଥରେ ଅଂଟାସଳଖି ଛିଡା ହେବାର ପ୍ରୟାସ ଜାରି ରଖିଛନ୍ତି । ତେବେ କାଇଁଚ କାରିଗରୀ କାମ କରି ନିଜକୁ ସ୍ୱାବଲମ୍ବୀ କରିପାରିଥିବା କମାଗଡର କାରିଗରମାନଙ୍କୁ ଅଧିକ ସରକାରୀ ପ୍ରୋତ୍ସାହନ ମିଳିଲେ ବ୍ୟବସାୟ ଅଧିକ ସମୃଦ୍ଧ ହୋଇପାରନ୍ତା ।