ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଆଖଡାରୁ ପଦକ ବର୍ଷା । ବଜରଙ୍ଗ ପୁନିଆ, ଦୀପକ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କୁ ସ୍ୱର୍ଣ୍ଣ ପଦକ । ଅଂଶୁଙ୍କୁ ରୌପ୍ୟ

144

କନକ ବ୍ୟୁରୋ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଆଖଡାରୁ ଭାରତକୁ ପଦକ ବର୍ଷା । ଗୋଟିଏ ଘଂଟାରେ ଭାରତକୁ ମିଳିଲା ତିନିଟି ସ୍ୱର୍ଣ୍ଣ ପଦକ । ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଦୀପକ ପୁନିଆ ଆଣିଦେଲେ ଗୋଲ୍ଡ ମେଡାଲ । ଅଂଶୁ ମଲ୍ଲିକ ରୌପ୍ୟ, ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ ଜିତିଲେ ବ୍ରୋଂଜ ପଦକ । ଫ୍ରିଷ୍ଟାଇଲ ପୁରୁଷ ୮୬ କେଜିରେ ବଜରଙ୍ଗ ପୁନିଆ, ମହିଳା ୬୨ କେଜିରେ ସାକ୍ଷୀ ମଲ୍ଲିକ ଏବଂ ପୁରୁଷ ୮୬ କେଜିରେ ଦୀପକ ପୁନିଆ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ପାକିସ୍ତାନୀ ଯୋଦ୍ଧା ମହମ୍ମଦ ଇରାନଙ୍କୁ ପରାସ୍ତ କରିଥିବାରୁ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଦୀପକ ପୁନିଆ ।
ସେହିପରି ମହିଳା ୫୭ କେଜିରେ ଅଂଶୁ ମଲ୍ଲିକ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି । ଅନ୍ୟପଟେ ଦିବ୍ୟା କାକ୍ରନ ଓ ମୋହିତ ଗ୍ରେୱାଲ ବ୍ରୋଂଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଗତକାଲି କୁସ୍ତି ଆଖଡ଼ାରୁ ଅଂଶୁ ପ୍ରଥମେ ପଦକ ଅଭିଯାନ ଆରମ୍ଭ କରିଥିଲେ । ପରେ ବଜରଙ୍ଗ, ସାକ୍ଷୀ ଓ ଦୀପକ ଲଗାତର ତିନିଟି ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ବଜରଙ୍ଗ ପୁନିଆଙ୍କ ଏହା ତୃତୀୟ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ । ଏହା ପୂର୍ବରୁ ୨୦୧୮ ଅଷ୍ଟ୍ରେଲିଆର ଗୋଲଡ୍ କୋଷ୍ଟରେ ସ୍ୱର୍ଣ୍ଣ ଏବଂ ୨୦୧୪ରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ସାକ୍ଷୀ ୨୦୧୪ରେ ରୌପ୍ୟ ଓ ୨୦୧୮ରେ ବ୍ରୋଂଜ ପଦକ ଜିତିଥିଲେ । କୁସ୍ତି ଆଖଡ଼ାରୁ ଏହି ପଦକ ଆସିବା ପରେ ଭାରତ ପଦକ ତାଲିକାରେ ପଂଚମ ସ୍ଥାନକୁ ଉଠିଛି । ଭାରତର ମୋଟ୍ ପଦକ ସଂଖ୍ୟା ୨୬ରେ ପହଂଚିଛି । କୁସ୍ତି ଯୋଦ୍ଧାଙ୍କୁ ପଦକୀୟ ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।