ଗୋଲଡେନ ବାବା ପ୍ରସ୍ତୁତ କଲେ ସୁନାର ମାସ୍କ । ଦାମ ଜାଣିଲେ ହୋଇଯିବେ ଚକିତ । ବାବା କହିଲେ କରୋନାକୁ ରୋକିବ ଏହି ମାସ୍କ ।

513

କନକ ବ୍ୟୁରୋ : କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଏବେ ପ୍ରତିଟି ଲୋକ ମାସ୍କ ବ୍ୟବହାର କରୁଛନ୍ତି । ମାସ୍କ ମଣିଷ ପାଇଁ ଏତେ ଆବଶ୍ୟକ ହୋଇପଡିଛି ଯେ ଆପଣ ଘରୁ ବାହାରକୁ ବାହାରିବା ବେଳେ କିଛି ବି ଭୂଲି ଯାଇପାରନ୍ତି , କିନ୍ତୁ ମାସ୍କ ନ ନେଇ ଆପଣ ବାହାରକୁ ଯାଇ ପାରିବେ ନାହିଁ । କିଛି ଲୋକ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ମାସ୍କ ବ୍ୟବହାର କରୁଥିବା ବେଳେ କିଛି ଲୋକଙ୍କ ପାଇଁ ମାସ୍କ ଏକ ଫ୍ୟାସନ ହୋଇ ଯାଇଛି । ଏନେଇ କିଛି ଲୋକ ନିଜ ପୋଷାକ ସହ ମ୍ୟାଚ୍ କରୁଥିବା ମାସ୍କ ପିନ୍ଧୁଥିବା ବେଳେ କିଛି ଲୋକ ଦାମୀ ମାସ୍କ ପିନ୍ଧି ବେସ୍ ଚର୍ଚ୍ଚାକୁ ଆସୁଛନ୍ତି ।

ଏହି ମାସ୍କକୁ ନେଇ ଆମେ ଆପଣଙ୍କୁ କିଛି ଏମିତି ତଥ୍ୟ ଦେବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଚକିତ ହୋଇଯିବେ । ଉତ୍ତରପ୍ରଦେଶ କାନପୁରରେ ରହୁଥିବା ଗୋଲଡେନ ବାବା ଏକ ସୁନାର ମାସ୍କ ପ୍ରସ୍ତୁତ କରିଛନ୍ତି । ଏହି ମାସ୍କକୁ ନେଇ ଏବେ ସେ ବେସ୍ ଚର୍ଚ୍ଚାରେ ଅଛନ୍ତି । ଉତ୍ତରପ୍ରଦେଶ କାନୁପୁରରେ ଗୋଲଡେନ ବାବା ନାମରେ ବେସ ପରିଚିତ ମନୋଜ ସେଙ୍ଗର, ଯାହାଙ୍କୁ ଲୋକମାନେ ମନୋଜାନନ୍ଦ ମହାରାଜ ନାମରେ ଜାଣନ୍ତି ସେ ଏବେ ସୁନାର ମାସ୍କ ପ୍ରସ୍ତୁତ କରିଛନ୍ତି । ଏହି ସୁନାର ତିଆରି ମାସ୍କର ଦାମ ୫ ଲକ୍ଷ ଟଙ୍କା ବୋଲି ଦାବି କରିଛନ୍ତି ଗୋଲଡେନ ବାବା ।

ମନୋଜାନନ୍ଦ ମହାରାଜ ବା ଗୋଲଡେନ ବାବା କହିଛନ୍ତି କି ମାସ୍କ ଭିତରେ ଏକ ସାନିଟାଇଜର ସ୍ତର ରହିଛି । ଯାହାକି ୩୬ ମାସ ପର୍ଯ୍ୟନ୍ତ କାମ କରିବ । ଗୋଲଡେନ ବାବା ଏହି ମାସ୍କର ନାମ ‘ଶିବ ଶରଣ ମାସ୍କ’ ଦେଇଛନ୍ତି । ସେ କହିଛନ୍ତି କି ଲୋକମାନେ ଉପଯୁକ୍ତ ମାସ୍କ ବ୍ୟବହାର ନକରିବା ଫଳରେ କରୋନାର ଦ୍ୱିତୀୟ ଲହର ଘାତକ ହେଲା । ହେଲେ ସେ ପ୍ରସ୍ତୁତ କରିଥିବା ମାସ୍କରେ ୩ ଟି ସ୍ତର ରହିଥିବା ବେଳେ ଏହା ୩ ବର୍ଷ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ସେ ଦାବି କରିଛନ୍ତି । କହିରଖୁ କି ମନୋଜାନନ୍ଦ ବାବାଙ୍କୁ ସୁନା ପିନ୍ଧବାର ବହୁତ ସଉକ ରହିଛି । ସେ ଅନେକ ସୁନାର ଗହଣା ପିନ୍ଧି ବାହାରକୁ ବାହାରିଥାନ୍ତି । ଏହି କାରଣରୁ ସ୍ଥାନୀୟ ଅଞ୍ଚଳରେ ସେ ଗୋଲଡେନ ବାବା ଭାବେ ପରିଚିତ  ।