କଟକକୁ ହେଉଛି ସୁନା ସ୍ମଗଲିଙ୍ଗ୍ । ଅମୃତସରରୁ ଚୋରାରେ ଆଣି କୋଟି କୋଟି ଟଙ୍କାର କାରବାର କରୁଛନ୍ତି ଅସାଧୁ ବ୍ୟବସାୟୀ ।

210

କନକ ବ୍ୟୁରୋ: ଥାନାରେ ସଜେଇ ହୋଇ ରହିଛି ପୁଳା ପୁଳା ସୁନା ଗହଣା । କାରଣ ବେଆଇନ ସୁନା କାରବାର ଘଟଣାର ପର୍ଦ୍ଦାଫାଶ୍ କରିଛି ପୋଲିସ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଞ୍ଜାବରୁ ଶହେ କି ୨ ଶହ ଗ୍ରାମ ନୁହେଁ, ପ୍ରାୟ ୨ କେଜି ୨୯ ଗ୍ରାମ ଓଜନର ମିକ୍ସ ଗୋଲଡ ଗହଣା ଆଣି କଟକରେ ବିକ୍ରି ପାଇଁ ଉଦ୍ୟମ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ ।

ଜିଏସଟି ଫାଙ୍କିବା ପାଇଁ ଟ୍ରେନରେ ହେଉଥିଲା ସୁନାର ଚୋରାଚାଲାଣ । ଟ୍ରେନରେ ସେଭଳି ଯାଞ୍ଚ ଓ ଧରପଗଡ ନଥିବାରୁ ବିନା ବାଧାରେ ଚାଲିଥିଲା ଏହି ବ୍ୟବସାୟ । ଆଉ ଏହି ବେଆଇନ କାରବାରକୁ ଧରିବାକୁ ବେଶ କିଛିଦିନ ଧରି ଜାଲ ବିଛାଇଥିଲା କମିଶନରେଟ ପୁଲିସ ।

ଜିଏସଟି ଫାଙ୍କିବା ପାଇଁ ପଞ୍ଜାବ ଅମୃତସରରୁ ଏହି ସୁନାଗହଣାକୁ ଆଣି କଟକରେ ବିନା କାଗଜ ପତ୍ରରେ ବିକ୍ରି ପାଇଁ ଉଦ୍ୟମ ଚାଲିଥିଲା । ଷ୍ଟେସନ ବଜାର ଅଞ୍ଚଳରୁ ଏହି ସୁନା ଜବତ ହୋଇଛି । ଏହି ସୁନା ଦେବାକୁ ପଞ୍ଜାବ ଅମୃତସରରୁ ଆସିଥିବା ଦୁଇଜଣ ଅଟକ ଅଛନ୍ତି । ବଡ ପ୍ରଶ୍ନ ଉଠୁଛି, କଟକର କେଉଁ କେଉଁ ବ୍ୟବସାୟୀ ବିନା କାଗଜପତ୍ରରେ ସୁନାଗହଣା କିଣୁଥିଲେ? ଏହି ସୁନା କେଉଁଠୁ ଆଣିଥିଲେ ଅମୃତସରର ବ୍ୟକ୍ତି? ଏହା ପଛରେ ଏକ ବଡ ଗ୍ୟାଙ୍ଗ କାମ କରୁଛି କି?

ପଞ୍ଜାବ, ଓଡିଶା ଛଡା ଆଉ କେଉଁଆଡେ ବେଆଇନ ସୁନା କାରବାରର ଚେର ଲମ୍ବିଛି? ଆସୁଥିବା ସୁନା ରାଜ୍ୟର ବଡ ବଡ ବ୍ୟବସାୟୀଙ୍କୁ ଦିଆଯାଉଥିଲା କି ? ଚୋରି ସୁନା କିଣୁଥିବା ବ୍ୟବସାୟୀ ତଦନ୍ତ ପରିସରକୁ ଆସିବେ କି ? ଏହି ସୁନା ଗହଣା କାରବାର ପଛରେ ଜିଏସଟି ଫାଙ୍କି ସାମ୍ନାକୁ ଆସିଥିବାରୁ କମିଶନରେଟ ପୁଲିସ ଜିଏସଟି ବିଭାଗକୁ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଜଣାଇ ଦେଇଛି । କେବଳ ଏତିକି ନୁହେଁ ୨୭ ହଜାର ୮ଶହ ଗୋଲ୍ଡ ପ୍ଲେଟେଡ ଗହଣା ମଧ୍ୟ ଅଭିଯୁକ୍ତ ନିକଟରୁ ଜବତ କରାଯାଇଛି । ବଡ ପ୍ରଶ୍ନ ଉଠୁଛି, କେତେ ଦିନ ଧରି ଚାଲିଥିଲା ସୁନାର ଏହି ବେଆଇନ କାରବାର ।