ଧନତେରାସରେ ଘରକୁ ବୋହିନେଲେ ସୁନା । ଦର କମ ଥିବାରୁ ଗହଣା ଦୋକାନରେ ପ୍ରବଳ ଭିଡ ।

286

କନକ ବ୍ୟୁରୋ : ମହାମାରୀ କରୋନା ଭିତରେ ଧନତେରସରେ ବିକ୍ରି ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ସୁନା । ଗତବର୍ଷ ଅପେକ୍ଷା ଦାମ୍ କମ୍ ଥିବାରୁ ସୁନା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଉତ୍ସାହ ଦେଖାଦେଇଛି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ମନଲୋଭା ଅଫର ଦେଉଛନ୍ତି ସୁନା ଦୋକାନୀ ।

ଧନତେରାସରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ଓ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଉଠେ ଥିବା ବିଶ୍ୱାସ ଯୋଗୁଁ ଲୋକେ ଆଗ୍ରହର ସହ ସୁନା ଦୋକାନକୁ ଆସି ଅଳଙ୍କାର କିଣି ନେଇଥିବା ଦେଖିବାକୁ ମିଳିଛି । ସୁନା ମୂଲ୍ୟ ଗତବର୍ଷ ତୁଳନାରେ ଅପେକ୍ଷାକୃତ କମ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ସୁନା କିଣିବାକୁ ଆଗ୍ରହ ଦେଖିବାକୁ ମିଳିଥିଲା । ଏଥିସହ ଆଗକୁ ସୁନା ଦର ଆହୁରି ବଢ଼ିବା ଆଶଙ୍କା ରହିଥିବାରୁ ମଧ୍ୟ ସୁନା ବିକ୍ରି ଅଧିକ ହୋଇଛି ।

ଧନତେରସରେ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଗହଣା ଦୋକାନୀ ମଧ୍ୟ ଲୋଭନୀୟ ଅଫର ଦେଇଛନ୍ତି । କିଏ ଗଢ଼ା ମଜୁରୀ ଛାଡ କରିଥିଲେ ଆଉ କିଏ ଇନସୁରାନ୍ସ ଭଳି ସୁବିଧା ଦେଇଛନ୍ତି । ସେହିପରି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ହାଲୁକା ଓଜନର ଗହଣା ମଧ୍ୟ ବଜାରକୁ ଆଣିଛନ୍ତି ଗହଣା ଦୋକାନୀ । କୋଭିଡ୍ ମହାମାରୀ ନିୟନ୍ତ୍ରଣ ସ୍ଥିତିକୁ ଆସିଛି । ବଜାର ମଧ୍ୟ ଖୋଲିଥିବାରୁ ଗହଣା ବିକ୍ରି ବଢ଼ିଥିବା ଅନୁମାନ କରାଯାଉଛି । ବିବାହ ପର୍ବକୁ ନେଇ ମଧ୍ୟ ଉତ୍ସାହ ବଢିଛି । ଯାହାକି ଦେଶର ଅଳଙ୍କାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଆଶା ବଢାଇଛି ।