ସୁନା ନାଁ ଶୁଣିଲେ ଡ଼ର ଲାଗୁଛି ! ଆମେରିକା-ଇରାନ୍ ଉତ୍ତେଜନା ପାଇଁ ରେକର୍ଡ ଭାଙ୍ଗିଛି ସୁନା ଦାମ୍

400

କନକ ବ୍ୟୁରୋ: ଆମେରିକା-ଇରାନ ଉତେଜନା ମଧ୍ୟରେ ସୁନାଦର ଆଜି ରେକର୍ଡସ୍ତର ଛୁଇଁଛି । ୧୦ ଗ୍ରାମ ସୁନା ଦର ୪୨ ହଜାର ଛୁଇଁଛି । ସୁନା ଦରରେ ଏଭଳି ବୃଦ୍ଧି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ସୁରକ୍ଷିତ ନିବେଶ କରିବା ଲକ୍ଷ୍ୟରେ ଗ୍ରାହକଙ୍କ ଆଗ୍ରହ ବଢୁଥିବାରୁ ସୁନା ଦର ବଢୁଛି । ଆନ୍ତର୍ଜାତିକ ବଜାରରେ ମଧ୍ୟ ଏହି ମୂଲ୍ୟବାନ ଧାତୁର ଦାମ୍ ବୃଦ୍ଧି ପାଉଛି ।

ସୁନା ମୂଲ୍ୟରେ ବୁଧବାର ୪୮୫ ଟଙ୍କା ବଢ଼ିଥିବା ବେଳେ ରୁପା ଦାମ୍ ୮୫୫ ଟଙ୍କାରେ ବୃଦ୍ଧି ପାଇଛି । ଏକ କିଲୋ ରୁପାର ଦାମ୍ ୪୯, ୫୩୦ ଟଙ୍କା ରହିଛି । ବିଗତ ୩ଟି କାରବାର ଦିବସ ଭିତରେ ସୁନା ମୂଲ୍ୟ ୨ହଜାର ଟଙ୍କା ବଢ଼ିଛି । ସେହି ସମୟରେ ରୁପା ଦାମ୍ରେ ୧୭୦୦ ଟଙ୍କାର ବୃଦ୍ଧି ଘଟିଛି । ଯଦି ବିଗତ ୩ ସପ୍ତାହକୁ ହିସାବକୁ ନିଆଯିବ ତେବେ ସୁନା ମୂଲ୍ୟରେ ୩ହଜାର ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି ।

ବିଶ୍ୱର ସଙ୍କଟ ଦେଖା ଦେଲେ ସୁନା ମୂଲ୍ୟ ପ୍ରଥମେ ବୃଦ୍ଧି ପାଏ । ଏହାର କାରଣ ହେଉଛି ନିବେଶକମାନେ ନିଜ ପାଣ୍ଠିକୁ ସୁରକ୍ଷିତ ରଖିବା ଲାଗି ଅଧିକ ମାତ୍ରାରେ ସୁନା କିଣିଥାନ୍ତି । ସୁନାକୁ ଯେକୌଣସି ସମୟରେ ବିକ୍ରି କରାଯାଇପାରିବ । ଏହା ନିବେଶ ପାଇଁ ଏକ ସୁରକ୍ଷିତ ମାଧ୍ୟମ ମଧ୍ୟ । ସେଥିପାଇଁ ସୁନାରଚାହିଦା ବଢ଼ିବା ସହ ଦାମ୍ ବଢ଼ୁଛି ।