ସୁନାଚୋରକୁ ଧରାଇଦେଲା ସିସିଟିଭି । ଦିନରୁ ବ୍ୟାଙ୍କ ଭିତରେ ଲୁଚି ରହି ରାତିରେ ବୁଲାଇଥିଲା କଳାକନା ।

368

କନକ ବ୍ୟୁରୋ : ଦିନରେ ଲୁଚି ରହିଲା, ରାତିରେ ଚୋରି କଲା । ଶେଷରେ ସିସିଟିଭି ଫୁଟେଜରୁ ପୂରା କାରନାମାର ପର୍ଦ୍ଦାଫାଶ ହେଲା । ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କରୁ ସୁନା ଚୋରି ମାମଲାର କିଛି ଏଭଳି ନାଟକୀୟ ଦିଗ ସାମ୍ନାକୁ ଆସୁଛି । ଦେଢ ମାସ ତଳୁ ଚୋରି ହୋଇଥିବା ସୁନା ବାବଦରେ ମାତ୍ର ୨ ଦିନ ତଳେ ଜାଣିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ । କେବଳ ଜଣେ ଅସ୍ଥାୟୀ କର୍ମଚାରୀ ଏହି ଲୁଟ୍ ପଛର ମାଷ୍ଟର ମାଇଣ୍ଡ ନା ଏହା ପଛରେ ଆଉ କାହାର ଭୂମିକା ରହିଛି । ତାକୁ ନେଇ ପୁଲିସର ଖୋଳତାଡ ଜାରି ରହିଛି ।

ସୁନା ଚୋରକୁ ଧରାଇ ଦେଲା ସିସିଟିଭି । ଦିନରୁ ବ୍ୟାଙ୍କ ଭିତରେ ଲୁଚିଥିଲା ଅଭିଯୁକ୍ତ, ରାତିରେ କରିଥିଲା ଲୁଟ୍ । ବ୍ୟାଙ୍କର ଅସ୍ଥାୟୀ କର୍ମଚାରୀ ବନିଥିଲା ଲୁଟେରା । ନଭେମ୍ବର ୩୦ ରାତିରେ ୧ କେଜି ୬୧୦ ଗ୍ରାମ ସୁନା ଚୋରି କରିବା ପରେ ୩୧ ତାରିଖ ଦିନରେ ସାଧାରଣ ଗ୍ରାହକଙ୍କ ଭଳି ବ୍ୟାଙ୍କରୁ ବାହାରି ଚାଲି ଯାଇଥିଲା ଅଭିଯୁକ୍ତ ଶେଖର କୁଳଦୀପ୍ । ବିଡ଼ମ୍ବନାର କଥା ହେଉଛି, ଚୋରି ହେବାର ଦେଢ ମାସ ପରେ ଏ ବାବଦରେ ଜାଣିପାରିଥିଲେ ଲକ୍ଷ୍ମୀପୁର ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ । ଜାନୁଆରୀ ୧୪ରେ ଏନେଇ ଲକ୍ଷ୍ମୀପୁର ଧାନାରେ ଅଭିଯୋଗ କରିଥିଲେ ବ୍ୟାଙ୍କ ମ୍ୟାନେଜର ।

ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲା ଲକ୍ଷ୍ମୀପୁର ପୁଲିସ । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତ ଶେଖର ପାଖରେ ପହଞ୍ଚି ପାରିଛି ପୁଲିସ । ଅଭିଯୁକ୍ତ ନିକଟରୁ ୧ କେଜି ୧୮୯ ଗ୍ରାମ ସୁନା ଓ ୨ ଲକ୍ଷ ୯୫ ହଜାର ନଗଦ ଟଙ୍କା ଜବତ ହୋଇଛି । ଆଉ କିଛି ସୁନା ବିକି ଏକ ଜାଗା କିଣିଥିବା ସୂଚନା ମିଳିଛି । ତେବେ ସେ କାହାକୁ ସୁନା ବିକିଛି, ତା’ର ଖୋଳତାଡ ଚାଲିଥିବା କହିଛନ୍ତି କୋରାପୁଟ ଏସପି ।

ଅଭିଯୁକ୍ତ ଶେଖର କୁଳଦିପ୍ । ଏହି ବ୍ୟାଙ୍କରେ ୨୦୧୪ରୁ ୨୦୨୦ ଯାଏଁ ଅସ୍ଥାୟୀ ମେସେଞ୍ଜର ଭାବେ କାମ କରୁଥିଲା । ସେ ବ୍ୟାଙ୍କର ସମସ୍ତ ନେଣଦେଣ ବାବଦରେ ଜାଣିଥିଲା । ଲକର ଚାବି କେଉଁଠି ରୁହେ, ତାହା ବି ତାକୁ ଜଣାଥିଲା । ତେବେ ପ୍ରଶ୍ନ ଉଠୁଛି ଜଣେ ଅସ୍ଥାୟୀ କର୍ମଚାରୀ ବ୍ୟାଙ୍କ ଲକର ଚାବି କେଉଁଠି ଅଛି ଜାଣିଲା କେମିତି ? ଲକର ଖୋଲିଲା ବେଳେ ସାଇରନ ବାଜିଲା ନାହିଁ କାହିଁକି ? ଏହି ଲୁଟ୍ ପଛରେ ଆଉ କାହାର ସଂପୃକ୍ତି ନାହିଁ ତ ?