ଶବ ବେକରୁ ସୁନା ଚୋରି । କଟକ ପରେ ସମ୍ବଲପୁର । ମୃତ୍ୟୁ ପରେ କୋଭିଡ୍ ହସ୍ପିଟାଲରେ ଶବ ବେକରୁ ଗାଏବ ହୋଇଗଲା ଚେନ୍ ଓ ମଙ୍ଗଳସୂତ୍ର ।

536

କନକ ବ୍ୟୁରୋ: ସମ୍ବଲପୁର ସୁନାପାଲିର ଅଭିଷେକ ମୋହନ ନାମକ ଜଣେ ବ୍ୟକ୍ତି ଟାଉନ ଥାନାରେ ଅଭିଯୋଗ କରିଛନ୍ତି, ଗତ ଅଗଷ୍ଟ ମାସ ୧୯ ତାରିଖରେ ମୋ ମାଆ ସମ୍ବଲପୁର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ସେ ସୁନା ଚେନ୍ ପିନ୍ଧିଥିଲେ ଏବଂ ମଙ୍ଗଳସୂତ୍ର ମଧ୍ୟ ପିନ୍ଧିଥିଲେ । ଅଗଷ୍ଟ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା । କିନ୍ତୁ ଆମେ ମାଆଙ୍କ ସୁନା ଚେନ୍ ଓ ମଙ୍ଗଳସୂତ୍ର ପାଇଲୁ ନାହିଁ । ଆମ ସଂସ୍କୃତିରେ ମଙ୍ଗଳସୂତ୍ରର ଖୁବ୍ ଗୁରୁତ୍ୱ ରହିଛି । ତେଣୁ ଆମେ ଅନୁରୋଧ କରୁଛୁ, ଏହି ଘଟଣାକୁ ତଦନ୍ତ କରାଯାଉ ଏବଂ ଯିଏ ଏହି ସୁନାଚେନ୍ ଓ ମଙ୍ଗଳସୂତ୍ର ମାଆଙ୍କ ବେକରୁ ନେଇଛି, ତାକୁ ଠାବ କରାଯାଉ ଏବଂ ପୁଲିସ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଏଫଆଇଆର କରିବା ପରେ ପୁଲିସ ସମ୍ବଲପୁର କୋଭିଡ୍ ହସପିଟାଲକୁ ଘଟଣାର ତଦନ୍ତ ପାଇଁ ସିସିଟିଭି ଫୁଟେଜ୍ ମାଗିଥିଲା । କିନ୍ତୁ ହସ୍ପିଟାଲ ପକ୍ଷରୁ ଏଯାଏଁ ସିସିଟିଭି ଫୁଟେଜ୍ ଦିଆଯାଇ ନାହିଁ ବୋଲି ପୁଲିସ କହିଛି । ତେବେ ଏହାର କିଛି ଦିନ ପରେ କଟକରେ ଘଟିଲା ଅନୁରୂପ ଘଟଣା । ଶବ ବେକରୁ ସୁନା ଚୋରି । ଦୁଇ ଦିନ ତଳେ କଟକ ବଡ ଡାକ୍ତରଖାନା ଆଇସୋଲେସନ୍ ୱାର୍ଡରେ କରୋନାରେ ଆକ୍ରାନ୍ତ ଜଣେ ୭୬ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଲା । ହସ୍ପିଟାଲରେ ଭର୍ତ୍ତି ହେବା ବେଳେ ସେ ସୁନାଚେନ୍ ଓ ଲକେଟ୍ ପିନ୍ଧିଥିଲେ । କିନ୍ତୁ ଆଇସୋଲେସନ୍ ୱାର୍ଡରୁ ଯେତେବେଳେ ମହିଳାଙ୍କ ମୃତଦେହ ବାହାରିଲା ସେତେବେଳେ ତାଙ୍କ ବେକରେ ଆଉ ଚେନ୍ ନଥିଲା । ଏହି ଘଟଣାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, ଶେଷରେ ମାଆଙ୍କ ସନ୍ତକ ବି ତାଙ୍କୁ ମିଳିଲା ନାହିଁ ।

କୋଭିଡ୍ ହସ୍ପିଟାଲ କରୋନା ରୋଗୀଙ୍କ ପାଇଁ ଆଶା ଓ ଭରସାର କେନ୍ଦ୍ର । ସେହିଠି ରୋଗୀଟିଏ ପୁନର୍ଜନ୍ମ ପାଇ ଘରକୁ ଫେରେ ଏବଂ ଡାକ୍ତର ଓ ନର୍ସଙ୍କୁ ଅନେକ ଆଶୀର୍ବାଦ ଦିଏ । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କିଛି ଏମିତି ଲୋକ ଥାନ୍ତି, ଯେଉଁମାନେ ନିଚ୍ଚତାର ସର୍ବନିମ୍ନ ସ୍ତରକୁ ଚାଲିଯାଆନ୍ତି । ଏମାନଙ୍କୁ ଖୋଜି ବାହାର କରିବା ଦରକାର ।