କନକ ବ୍ୟୁରୋ: ନଈ ବାଲିରେ ମିଳୁଛି ସୁନା । ଏଭଳି ଏକ ଖବର ପଢିବା ପରେ ଆପଣଙ୍କର ଆଖି ତରାଟି ହୋଇଯାଇଥିବ । ବର୍ତମାନ ବଜାରରେ ସୁନା ଦର ୧୦ଗ୍ରାମ ପ୍ରତି ପାଖାପାଖି ୩୪ହଜାର ଟଙ୍କା ରହିଛି । ପାରମ୍ପରିକ ଭାବେ ଭାରତୀୟଙ୍କର ସୁନା ପ୍ରତି ଅହେତୁକ ଆଗ୍ରହ ରହିଛି । ଆଉ ଯଦି ଆପଣଙ୍କୁ କୁହାଯାଏ ନଦୀ ପଠାରେ ମିଳୁଥିବା ବାଲିରେ ସୁନା ରହିଛି ତାହା ନିଶ୍ଚୟ ଆପଣଙ୍କୁ ଆକର୍ଷିତ କରିବ ।... ଯାହା ମାଲକାନଗିରି ସୁନାଝରିଆ ଗାଁବାସୀଙ୍କୁ ଆକୃଷ୍ଟ କରିଛି  ।

publive-image

ସୁନା ପଛରେ ସାରାଦିନ ମାତିଛନ୍ତି ଏହି ଗାଁର ଲୋକେ । ଦିନ ତମାମ ସାବେରୀ ନଦୀ ପଠାରେ ବାଲି ସାଉଁଟି ସେଥିରୁ ସୁନା ଖୋଜୁଛନ୍ତି । ଆହୁରି ଆଶ୍ଚର୍ଯ୍ୟ ହେବେ  ନଦୀ ବାଲିରୁ ସୁନା ଖୋଜୁଥିବା ଏହି ଲୋକଙ୍କ କହିବା ହେଲା ଗୋଟିଏ ସପ୍ତାହରେ ଏମାନଙ୍କୁ ୧୦ରୁ ୧୫ଗ୍ରାମ ସୁନା ମିଳିଯାଉଛି ।ଏଭଳି ଏକ ଖବର ସମସ୍ତଙ୍କୁ ଚକିତ କରିଛି । ଯଦିଓ ଏନେଇ ସ୍ଥାନୀୟ ପ୍ରଶାସନ କିମ୍ବା ବିଶେଷଜ୍ଞଙ୍କର କୌଣସି ପ୍ରତିକ୍ରିୟା ଆସିନାହିଁ ତଥାପି ଏହା ଲୋକଙ୍କ ମନରେ ଉକ୍ରଣ୍ଠା ବଢ଼ାଇ ଦେଇଛି ।

publive-image

ଗାଁଲୋକଙ୍କ କହିବା କଥା ହେଲା, ସାବେରୀ ନଦୀକୁ ଛାଡି ଦେଲେ ଅନ୍ୟ କୈଣସି ନଦୀରେ ସୁନା ବାହାରେ ନାହିଁ । ପ୍ରଥମେ ନଦୀରେ ଯାଇ ବାଲିକୁ କାଠ ଗାମଲା ଭର୍ତ୍ତି କରି ଆଣନ୍ତି । ସେହି କାଠ ଗାମଲା ସାହାର‌୍ୟ୍ୟରେ ନଦୀ ପାଣିରେ ତାକୁ ବାଲି ଧୋଇବା ପରେ ଧିରେ ଧିରେ ଶେଷ ପର‌୍ୟ୍ୟାୟରେ ସୁନା କିଛି କିଛି ଚମକି ଉଠିଥାଏ । ଖୋଳିଥିବା ସ୍ଥାନରେ ସୁନା ରହିଥିବାରୁ ଏହି ବାଲିକୁ ପରିବାର ସମସ୍ତ ସଦସ୍ୟ ନଦୀ କୂଳରେ ବୋହି ଆଣିଥାନ୍ତି । ଛୋଟିଆ କାଠ ଡଙ୍ଗାରେ ବାଲି ଭର୍ତ୍ତି କରିବା ସହିତ ନଦୀ ପାଣି ଏକ ପାତ୍ର ରେ କାଢି ବାଲି ଉପରେ ଢାଳିଥାନ୍ତି ।

publive-image

ବାଲି ତରଳି ନଦୀ ପାଣି ରେ ଯିବା ଯାଏଁ ପାଣି ପକାଇବା ପରେ ଶେଷ ପର‌୍ୟ୍ୟୟରେ ରହିଥିବା କିଛି ବାଲିକୁ ପୁଣିଥରେ କାଠ ଗାମଲାରେ ଆଣି ନଦୀରେ ଧୋଇବା ପରେ ନଖ ଆକାରରେ ସୁନା ବାହାରିଥାଏ । ଏପରି ସକାଳରୁ ୧୦ ରୁ ୧୫ ଥର ବାଲି ଧୋଇ ପ୍ରାୟ ୩ ହଜାର ପର‌୍ୟ୍ୟନ୍ତ ସୁନା ବାହାର କରନ୍ତି ଆଦିବାସୀମାନେ। ସପ୍ତାହକୁ ଥରେ ଜୟପୁର ଅଞ୍ଚଳରେ ନେଇ ସୁନା ବିକ୍ରି କରି ଜୀବିକା ନିର୍ବାହ କରିଆସୁଛନ୍ତି ଏହି ଆଦିବାସୀ । ତେବେ ନଦୀ ବାଲିରୁ ସୁନା ବାହାର କରିବା ଭଳି ପଦ୍ଧତିକୁ ଆଦିବାସୀଙ୍କ ବୃତ୍ତିକୁ ନେଇ ଏବେ ସମଗ୍ର ଜିଲାରେ ଚର୍ଚ୍ଚା ପାଲଟିଛି ।

publive-image

ଓଡିଶାରେ ସୁନା ଖଣି ନେଇ ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନରେ ଉତର ଆସିଥିଲା ଯେ ରାଜ୍ୟରେ ୮ଟି ସୁନା ଖଣି ରହିଛି । କେଉଁଝରର ଗୋପୁର,ଗାଜିପୁର, କୁଶକଳା, ଅଡାଳ ଏବଂ ତେଲକୋଇର ସଲେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଥିବାର ଆକଳନ କରାଯାଇଛି । ସେହିଭଳି ମୟୁରଭଞ୍ଜର ଯଶିପୁର, ସୁରିଆଗୁଡା, ରୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ ଓ ବାଦାମ ପାହାଡ ଅଞ୍ଚଳରେ ଥିବା ସୁବାବାହୀ ପଥରରେ ସୁନା ଥିବାର ଆକଳନ କରାଯାଇଛି । ତେବେ ଏଠାରେ କେତେ ମାତ୍ରାରେ ସୁନା ରହିଛି ତାହା ସ୍ପଷ୍ଟ ଜଣାପଡିନାହିଁ ।

publive-image

ସେହିଭଳି ସୁନ୍ଦରଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ସୁନା ଥିବା ଆକଳନ କରାଯାଇଛି । ତେବେ ସ୍ୱଳ୍ପ ପରିମାଣରେ ଓ ବିକ୍ଷିପ୍ତ ଭାବରେ ମିଳୁଥିବାରୁ ଏହାର ସବିଶେଷ ଆକଳନ କରାଯାଇନାହିଁ । ଖାସକରି ନଦୀ ପଠା ଅଞ୍ଚଳରେ ସୁନା ଥିବା ଆକଳନ କରାଯାଇଛି । ତେବେ ଅର୍ଥନୈତିକ ଦୃଷ୍ଟି କୋଣରୁ ଏ ଗୁଡିକର ଉତ୍ତୋଳନ ଲାଭଜନକ ନ ହେବା କାରଣରୁ ସୁନା ଖଣି କାର୍ଯ୍ୟ ଆରମ୍ଭ ହେଉନାହିଁ ବୋଲି ଗୃହରେ ଲିଖିତ ଉତ୍ତର ରଖିଥିଲେ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ । ।