ଅତାବିରାରୁ ଟୋକିଓ ଅଭିଯାନ, ଫ୍ୟାନ ମେକାନିକରୁ ସ୍ୱର୍ଣ୍ଣ ପଦକ ବିଜେତା

92

କନକ ବ୍ୟୁରୋ: ପ୍ରମୋଦ ସଫଳତା ପଛରେ ରହିଛି ୧୫ ବର୍ଷ ସଂଘର୍ଷର ପ୍ରେରଣାଦାୟୀ କାହାଣୀ । ପୋଲିଓ ଆକ୍ରାନ୍ତ ପ୍ରମୋଦ ଅର୍ଥ ଅଭାବରୁ ଆଇଟିଆଇ ପାଠ୍ୟକ୍ରମ ଅଧାରୁ ଛାଡି ଅତାବିରା ବଜାରରେ ଏହି ଦୋକାନରେ ପଙ୍ଖା, ଆଇରନ, ଆଦି ସଜାଡୁଥିଲେ । ଏକ ଭଡା ଘରେ ବିତୁଥିଲା ଜୀବନ । ସ୍ପୋନରସିପ ପାଇଁ ଦୁଆର ଦୁଆର ବୁଲିବାକୁ ମଧ୍ୟ ପଡୁଥିଲା । ଆର୍ଥିକ ଅନାଟନ ସତ୍ୱେ ତାଙ୍କର ନିଶା ଥିଲା ବ୍ୟାଡମିଂଟନ ଖେଳିବା । ଆଉ ଏଥିରେ ପ୍ରତିବନ୍ଧକ ସାଜିପାରିନଥିଲା ଅର୍ଥ ଅଭାବ କି ଶାରିରୀକ ଅକ୍ଷମତା ।

ଅତାବିରାର ସ୍ୱର୍ଗତ କୈଳାସ ଭଗତ ଓ କୁସୁମ ଦେବୀଙ୍କ ୬ ପୁଅ ଝିଅଙ୍କ ମଧ୍ୟରୁ ଚତୁର୍ଥ ସନ୍ତାନ ହେଉଛନ୍ତି ଭଗତ । ଅତାବିରାରେ ପଢାପଢି କରିବା ସହ ପ୍ଲେୟାର୍ସ କ୍ଲବରେ ହିଁ ଅଭ୍ୟାସ ଆରମ୍ଭ କରି ଏବେ ବିଶ୍ୱସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ଆର୍ଥିକ ଅନାଟନ ଯୋଗୁଁ ସାଙ୍ଗ ସାଥିଙ୍କୁ ଠାରୁ ଧାର କରି ଖେଳ ସାମଗ୍ରୀ କିଣୁଥିଲେ ପ୍ରମୋଦ । ବ୍ୟାଡମିଂଟନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବହୁ ପୁରସ୍କାର ଓ ପଦକ ପାଇଛନ୍ତି ପ୍ରମୋଦ ।

ଆର୍ଥିକ ସ୍ଥିତି ଖରାପ ଥିବାରୁ ବରଗଡର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ୨୫ଶହ ଟଙ୍କାରେ କୋଚ ଭାବେ ମଧ୍ୟ କାମ କରିଛନ୍ତି ପ୍ରମୋଦ । ୨୦୦୬ରେ ବେଙ୍ଗାଲୁରରେ ଜାତୀୟ ଚାମ୍ପିଅନସିପ୍ରେ ବିଜେତା ହେବା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି । ଗୋଟିଏ ପରେ ଗୋଟିଏ ସଫଳତାର ଶିଡି ଚଢିଚାଲିଛନ୍ତି ।