ସୁନା ପଦକ ମୋ ପ୍ରଥମ ବିବାହ… ଏମିତି କାହିଁକି କହିଲେ ପ୍ରମୋଦ ?

227

କନକ ବ୍ୟୁରୋ: ଟୋକିଓରୁ ସୁନା ପଦକ ନେଇ ଫେରିବା ପରେ ସ୍ୱର୍ଣ୍ଣ ପଦକ ପଛର କାହାଣୀ ବଖାଣିଲେ ପ୍ରମୋଦ ଭଗତ । ସଙ୍ଘର୍ଷର କାହାଣୀ କହିବା ବେଳେ ପ୍ରମୋଦ କହିଲେ ଅଲିମ୍ପିକ୍ସ ଯାଏଁ ଯାତ୍ରା ବହୁ କଷ୍ଟକର ଥିଲା । ସୁନା ଜିତିବା ପାଇଁ ମୋ ମନରେ ଝଡ ଉଠୁଥିଲା, ପଦକ ଜିତିବା ପରେ ଶାନ୍ତ ହେଲା । ମନରୁ ଜିତିଲେ, ଯୁଦ୍ଧରେ ଜିତିବେ ବୋଲି ବାର୍ତା ଦେଇଛନ୍ତି ପ୍ରମୋଦ । ଏହା ସହ ଆଗାମୀ ଦିନରେ ଓଡିଶାରେ ପାରା ଆଥଲେଟଙ୍କ ପାଇଁ ସରକାର ସୁବିଧା କରନ୍ତୁ ବୋଲି ସେ ଦାବି କରିଛନ୍ତି । ସବୁ ଷ୍ଟାଡିୟମରେ ପାରା ଆଥଲେଟଙ୍କ ପାଇଁ ସୁବିଧା କରାଯାଉ । ଯେମିତି ସେମାନେ ସହଜରେ ଖେଳି ପାରିବେ ।

ମୋ ପାଖରେ ୧୨୫ ପଦକ ଥିଲା କିନ୍ତୁ ଏ ସୁନା ପଦକ ୧୨୫ ମେଡାଲ ସହ ସମାନ । ସମସ୍ତଙ୍କ ସ୍ୱପ୍ନ, ସମର୍ଥନ ଆଉ ମୋର ୨୦ ବର୍ଷର ତପସ୍ୟା ପୂରଣ ହୋଇଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ୬ କୋଟି ଟଙ୍କା କେମିତି ଖର୍ଚ୍ଚ କରିବେ ? ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରମୋଦ କହିଛନ୍ତି, ମୁଁ ଏଯାଏଁ କିଛି ଭାବିନି, ତଥାପି ଅଭାବୀ ଖେଳାଳିଙ୍କୁ ସାହାଯ୍ୟ କରିବି । ମୁଁ ଯାହା ଶିଖିଛି ତାହା ଅନ୍ୟକୁ ଶିଖାଇବି । ତେବେ ବିବାହ ବାବଦରେ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି ପ୍ରମୋଦ । କହିଛନ୍ତି, ମୁଁ ବିବାହ କଥା ଭାବିନି ମାତ୍ର ମୁଁ ମେଡାଲ ସହ ପ୍ରଥମ ବିବାହ କରିଛି । ଏବେ କିଛି ଦିନ ପଦକ ସହ ଜୀବନ ବିତାଇବି…

ସେପଟେ ପ୍ରମୋଦଙ୍କୁ ମିଳିଛି ୬ କୋଟି । ଟୋକିଓ ପାରାଲିମ୍ପିକ୍ସରୁ ସୁନା ନେଇ ଫେରିବା ପରେ ପ୍ରମୋଦ ଭଗତଙ୍କୁ ୬ କୋଟି ପ୍ରଦାନ କରାଯାଇଛି । ପ୍ରମୋଦଙ୍କୁ ସମ୍ବର୍ଦ୍ଧିତ କରି ୬ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ହକି ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ପୁରସ୍କାର ରାଶି ପ୍ରଦାନ କରାଗଲା । ପୁରସ୍କାର ସହ ତାଙ୍କୁ ଗ୍ରୁପ ଏ ସ୍ତରର ଚାକିରି ବି ମିଳିଛି ।