ସମାବର୍ତ୍ତନ ଉତ୍ସବ ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣପଦକ ଚୟନଙ୍କୁ ନେଇ ପାତରଅନ୍ତର ଅଭିଯୋଗ । ଟ୍ୱିଟ୍ କରି ଅଭିଯୋଗ ଆଣିଲେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କର

142

କନକ ବ୍ୟୁରୋ: ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବ । ଉତ୍ସବ ପୂର୍ବରୁ ସ୍ୱର୍ଣ୍ଣପଦକ ଚୟନକୁ ନେଇ ପାତର ଅନ୍ତର ହୋଇଥିବା ମାଳମାଳ ଅଭିଯୋଗ  । ଷ୍ଟ୍ରାଟିଟିକ୍ସ ବିଭାଗର ସ୍ନାତକୋତର ଛାତ୍ରୀ ତନୁଶ୍ରୀ ରାଉତ ପରେ ଇଂରାଜୀ ବିଭାଗର ଛାତ୍ରୀ ଶିକ୍ତା କରଙ୍କ ଟୁଇଟ, ପୁଣିଥରେ ଏହି ପ୍ରସଙ୍ଗକୁ ଜୋରଦାର କରିଛି  । ଏପଟେ ଇଂଟରନାଲ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଉକ୍ରଳ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ।

ଷ୍ଟାଟିଟିକ୍ସ ବିଭାଗର ପିଜି ଛାତ୍ରୀ ତନୁଶ୍ରୀ ରାଉତଙ୍କ ଅଭିଯୋଗ ପରେ ଇଂରାଜୀ ବିଭାଗ ଛାତ୍ରୀ ଶିକ୍ତା କରଙ୍କ ସମାନ ଅଭିଯୋଗ  । ପରୀକ୍ଷାରେ ଅଧିକା ନମ୍ବର ରଖିଛନ୍ତି କିନ୍ତୁ ସମାବର୍ତ୍ତନ ଉତ୍ସବରେ ସ୍ୱର୍ଣ୍ଣପଦକ ପାଇବେ ଅନ୍ୟ ଜଣେ  । ପିଜି ପରୀକ୍ଷାରେ ୧୮୦୦ ମାର୍କରୁ ଶିକ୍ତା ରଖିଛନ୍ତି ୧୩୧୬ ନମ୍ବର ଏବଂ ଗ୍ରେଡ ହେଉଛି ୮.୦୨ ସିଜିପିଏ  ।

ହେଲେ ତାଙ୍କୁ ମିଳିବନି ସ୍ୱର୍ଣ୍ଣ ପଦକ, ତାଙ୍କଠାରୁ କମ ମାର୍କ ଏବଂ କମ୍ ସିଜିପିଏରେ ଉତୀର୍ଣ୍ଣ ହୋଇଥିବା ଛାତ୍ରୀକୁ ମିଳିବ ସ୍ୱର୍ଣ୍ଣ ପଦକ । ତେବେ ଏନେଇ ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୁଳପତି, ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଘଟଣାକୁ ସକାରତ୍ମକ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ଶିକ୍ତା ।

ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କ ଯୁକ୍ତି ହେଉଛି, ସିଜିପିଏ ବା ଗ୍ରେଡ୍ ସିଷ୍ଟମ ୟୁଜିସି ନିୟମ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ । ତୁଳନାତ୍ମକ ଭାବେ କୌଣସିି ବିଷୟରେ ଗ୍ରେଡ କମ୍ ଥିଲେ ଏବଂ ଗ୍ରେସ ନମ୍ବରରେ ଫାଷ୍ଟ କ୍ଲାସ ପାଇଥିଲେ ସେମାନଙ୍କୁ ଗୋଲ୍ଡ ମେଡାଲ ଦିଆଯିବ ନାହିଁ ବୋଲି ଗାଇଡଲାଇନ୍ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି, କୌଣସି ବିଷୟରେ ଅଳ୍ପ କିଛି ନମ୍ବର ପାଇଁ ଗ୍ରେଡ୍ରେ ପଛରେ ପଡିଥିବା ଛାତ୍ରଛାତ୍ରୀ ଯଦି ସାମଗ୍ରିକ ଭାବେ ଅନ୍ୟମାନଙ୍କ ଠାରୁ ଅଧିକ ନମ୍ବର ରଖିଥାନ୍ତି, ସେମାନଙ୍କୁ ସ୍ୱର୍ଣ୍ଣପଦକରୁ ବଂଚିତ କରିବା କେତେ ଯୁକ୍ତିଯୁକ୍ତ?

ଏନେଇ ଅଭିଯୋଗ ବଢ଼ିବା ପରେ ଖୁବଶୀଘ୍ର ଇଂଟରନାଲ ବୋର୍ଡ ବୈଠକରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ  । ତେବେ ସ୍ୱର୍ଣ୍ଣପଦକ ପାଇଁ ଚାଲି ଆସିଥିବା ନିୟମ ପରିବର୍ତନ ହେବ, କି ପୂର୍ବ ନିୟମକୁ ଜାରି ରଖିବେ ଉକ୍ରଳ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ, ତାହା ଦେଖିବାକୁ ବାକି ରହିଲା ।