ଅଳ୍ପ ଠକେଇରେ ବହୁତ ଲାଭ । ରାଜ୍ୟରେ ଗ୍ରାହକଙ୍କୁ ମନଇଚ୍ଛା ଠକୁଛନ୍ତି ସୁନା ଦୋକାନୀ, ବାଲେଶ୍ୱର ଓ କଟକରେ ଅଧିକ ଠକେଇର ଶିକାର ହେଉଛନ୍ତି ଗ୍ରାହକ । ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

2,962

କନକ ବ୍ୟୁରୋ : ରାଜ୍ୟରେ ଗ୍ରାହକଙ୍କୁ ମନଇଚ୍ଛା ଠକୁଛନ୍ତି ସୁନା ଦୋକାନୀ । ସୁନା ବିକ୍ରି ବେଳେ ବଡ ଧରଣର ହେରଫେର କରୁଛନ୍ତି ସୁନା ଦୋକାନୀ । ଗ୍ରାହକଙ୍କ ଆଖିରେ ଧୂଳି ଦେଇ ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ରାଜ୍ୟରେ ଗ୍ରାହକଙ୍କୁ ସୁନା ଦୋକାନୀ ଠକୁଥିବା ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଖାସକରି କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଗ୍ରାହକଙ୍କୁ ଠକିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । କେବଳ କଟକ ଓ ବାଲେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବି ଗ୍ରାହକମାନଙ୍କୁ ଲୁଟୁଛନ୍ତି ଦୋକାନୀ । ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଉପରେ ଚଢାଉ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ତାଲିକାରେ ବାଲେଶ୍ୱରର ୬ଟି, ଖୋର୍ଦ୍ଧାରେ ୪ଟି ଓ କଟକରେ ୭ଟି ସୁନା ଦୋକାନ ରହିଛି ।

ତେବେ ରାଜ୍ୟର ଅନ୍ୟ ସ୍ଥାନ ଗୁଡିକରେ ସୁନା ଦୋକାନ ଉପରେ ଚଢାଉ ହୋଇଥିବା ବେଳେ ଭୁବେନଶ୍ୱର ଓ ବ୍ରହ୍ମପୁରର କୌଣସି ସୁନା ଦୋକାନୀ ଉପରେ ଚଢାଉ ହୋଇନାହିଁ । ତେବେ ଏହି ଦୁଇ ସ୍ଥାନରେ ସୁନା ଦୋକାନ ଉପରେ କାହିଁକି ଚଢାଉ କରାଯାଉନାହିଁ ବୋଲି ବାଚସ୍ପତି ପ୍ରଶ୍ନ କରିବା ସହ ଏହି ଦୁଇ ଅଞ୍ଚଳରେ ଥିବା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଭୁବନେଶ୍ୱର ଓ ବ୍ରହ୍ମପୁରର ସୁନା ଦୋକାନୀ ଗୁଡିକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ।