କଟକ ମେଡିକାଲରେ ସୁନା ଚୋରୀର କଳଙ୍କିତ କାହାଣୀ ! ମୃତ୍ୟୁ ପରେ ମହିଳାଙ୍କ ବେକରୁ ଚୋରୀ ହୋଇଗଲା ଚେନ୍ । କିଏ କଲା ଏମିତି କାଣ୍ଡ ?

903

କନକ ବ୍ୟୁରୋ: ଶବ ବେକରୁ ସୁନା ଚୋରୀ । ଆଇସୋଲେସନ ୱାର୍ଡରେ ଅଭାବନୀୟକାଣ୍ଡ । ବଡ ମେଡିକାଲରୁ ବଡ ଅଭିଯୋଗ । କଟକ ବଡ ମେଡିକାଲରେ ସୁନା ଚୋରୀ ନେଇ ଆସିଲା ସାଙ୍ଘାତିକ ଅଭିଯୋଗ । ଶବ ବେକରୁ ଚେନ ଚୋରି ହୋଇଯାଇଛି । ସକାଳେ ମୃତ ମହିଳାଙ୍କ ବେକରେ ଝୁଲୁଥିବା ଚେନ ସଞ୍ଜରେ ଗାଏବ ହୋଇଯାଇଥିବା ଅଭିଯୋଗ କରିଛନ୍ତି ମୃତାଙ୍କ ପୁଅ । ତେବେ ବଡ ମେଡିକାଲର ଆଇସୋଲେସନ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଏବେ ପୂରା ବ୍ୟବସ୍ଥା ଉପରେ ଆଙ୍ଗୁଳିି ଉଠାଇଛି ।

ତେବେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଜଣେ ଯୁବକ ସୁବୋଧ ସରାଫ ନିଜ ମାଆଙ୍କୁ ନେଇ କଟକ ବଡ ମେଡିକାଲ ଯାଇଥିଲେ । ଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ପରେ ଭୁବନେଶ୍ୱରର ଦୁଇଟି ସରକାରୀ ମେଡିକାଲରେ ଦେଖାଇଥିଲେ । ମାତ୍ର ସେଠାରେ ସାମାନଙ୍କୁ ଫେରାଇ ଦେବା ପରେ କଟକ ନେଇଥିଲେ ହେଁ ବଡ ମେଡିକାଲରେ ଚିକିତ୍ସା ନକରାଇ ସିଧା ଆଇସୋଲେସନ ୱାର୍ଡକୁ ପଠାଇ ଦେଇଥିଲେ ।

ହେଲେ ସେତିକିରେ ସରିନଥିଲା ସେମାନଙ୍କ କଷ୍ଟ । ମାଆଙ୍କ ଯନ୍ତ୍ରଣା ବଢି ବଢି ଚାଲୁଥିବା ବେଳେ ଦୀର୍ଘ ସମୟ ଧରି କାହାରି ଦେଖାନଥିଲା । ଅନେକ ନେହୁରା ଡାକ୍ତର ଶୁଣିଥିଲେ ହେଁ ବହୁ ବିଳମ୍ବରେ ଅକ୍ସିଜେନ ଦିଆଯାଇଥିଲା । ମାତ୍ର ସେତେବେଳକୁ ସରାଫଙ୍କ ମାଆଙ୍କ ଜୀବନ ଦୀପ ଲିଭି ଲିଭି ଆସୁଥିଲା । ଆଉ ଶେଷରେ ସେ ଆଖିବୁଜିଥିଲେ ।
ଆଇସୋଲେସନ ୱାର୍ଡରେ ଅବହେଳାରୁ ୭୬ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ମଲା ପରେ ବି ଶବ ସହ ସରିନଥିଲା ଅତ୍ୟାଚାର । କାଗଜପତ୍ରର ବାହାନା କରି ଶବକୁ ୧୪ ଘଣ୍ଟା ତଳେ ପକାଇଥିଲେ । ଆଉ ମୃତ୍ୟୁ ପରେ ଶବ ବେକରୁ ଚେନ ଚୋରି ହୋଇଗଲା । ଆଇସୋଲେସନ ୱାର୍ଡରେ ସୁନା ଚୋରୀ ହୋଇଥିବା ପୁଅ କହିଥିବା ବେଳେ ମାଆର ଶେଷ ସନ୍ତକଟିଏ ବି ପାଇଲେନି ବୋଲି କାନ୍ଦିକାନ୍ଦି କହିଛନ୍ତି ।

ତେବେ କଟକ ମେଡିକାଲର ଏ କରୁଣ କାହାଣୀ ଶିକ୍ଷିତ ସମାଜକୁ ଲଜ୍ଜିତ କରିଛି । ଶବ ଦେହରୁ ସୁନା ଚୋରି ଘଟଣା ମଣିଷଜାତି ଉପରେ ଆଙ୍ଗୁଳି ଉଠାଇଛି । ସମାଜର ଗତି କୁଆଡେ ? କାହିଁକି ମଣିଷର ମାନବିକତା ଏତେ ତଳକୁ ଖସି ଖସି ଯାଉଛି? ଜୀବିତ ନୁହେଁ ବରଂ ଏଠି ଶବ ଦେହରୁ ବି ଚୋରି କରିବାକୁ ଲୋକଙ୍କ ହାତ ପଛାଉନି? କଣ ପାଇଁ ଏସବୁ ଘଟୁଛି, କେଉଁଠି ରହୁଛି ଭୁଲ ? ମଣିଷ ଆଉ ମଣିଷ ହୋଇ ଅଛି ? କିଏ ଦେବ ଉତ୍ତର ?