୬ ବର୍ଷ ପରେ ରେକର୍ଡ ସ୍ତରରେ ପହଞ୍ଚିଛି ସୁନାଦର । ବିଶ୍ୱ ଓ ଭାରତୀୟ ବଜାରରେ ଲଗାତାର ୬ଷ୍ଠ ଦିନରେ ସୁନା ଛୁଇଁଲା ୩୪ ହଜାର

689

କନକ ବ୍ୟୁରୋ: ରେକର୍ଡସ୍ତରରେ ସୁନାଦର । ବଜାରରେ ଏବେ ସୁନା ଦର ଆକାଶଛୁଆଁ । ୧୦ ଗ୍ରାମ ପ୍ରତି ସୁନା ଦର ୩୪ହଜାର ଟପିଛି । ଯାହାକି ଭାରତୀୟ ବଜାରରେ ସୁନା ଦରରେ ଏକ ରେକର୍ଡ । କାରଣ ପୂର୍ବରୁ କେବେ ସୁନା ଦର ଏତେ ନଥିଲା । ବର୍ତମାନ ସୁନା ଦର ୩୪ହଜାର ଟପିବା , ଦୀର୍ଘ ୬ବର୍ଷ ପରେ ପୁଣି ଥରେ ସୁନାର ସର୍ବୋଚ୍ଚ ଦରକୁ ମନେ ପକେଇ ଦେଇଛି । ବଜାର ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆଗକୁ ସୁନା ଦର ପୁଣି ବଢିବ ।ଅନ୍ତର୍ଜାତୀୟ ସ୍ତରରେ ୨୦୧୩ ମସିହାରେ ଏହିଭଳି ସୁନାର ଉଚ୍ଚ୍ା ଦର ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଆମେରିକା, ଚାଇନା ମଧ୍ୟରେ ବାଣିଜ୍ୟିକ ଲଢେଇ ଆରମ୍ଭ ହୋଇଛି ।

ଇରାନ,ଆମେରିକା ଓ ଚୀନର ତୈଳବଜାର ଏହାକୁ ନେଇ ପ୍ରଭାବିତ ହୋଇଛି । ତେଣୁ ଅଧିକାଂଶ ଲୋକ ଏବେ ତେଲ ଅପେକ୍ଷା ସୁନାରେ ଅଧିକ ନିବେଶ କରିବାକୁ ଚାହୁଁଛନ୍ତି । ଅନେକ ରାଷ୍ଟ୍ର ନିଜର ରାଜକୋଷରେ ଆମେରିକୀୟ ଡଲାର ଅପେକ୍ଷା ସୁନା ରଖିବାକୁ ମନ ବଳାଉଛନ୍ତି । ଯାହାକି ପରୋକ୍ଷରେ ସୁନା ଦରକୁ ଅଧିକରୁ ଅଧିକ ବଢାଇ ଚାଲିଛି ।ଏହାର ପ୍ରଭାବ ଭାରତୀୟ ବଜାରରେ ବି ଦେଖିବାକୁ ମିଳିଛି । ଶେଷ ଖବର ସୁଦ୍ଧାର ସୁନା ୧୦ ଗ୍ରାମ ପ୍ରତି ଦିଲ୍ଲୀରେ ୨ଶହ ଟଙ୍କା ବୃଦ୍ଧି ହୋଇ ୩୪ହଜାର ୪୭୦ରେ ପହଁଚିଛି । ମୁମ୍ବାଇରେ ଏହି ଦର ଅଛି ୩୪ହଜାର ୫୫୦ । ତେଣୁ ଭାରତୀୟ ବଜାରରେ ଏବେ ୧୦ଗ୍ରାମ ସୁନା ଦର ୩୪ହଜାର ୭ଶହ ହୋଇଛି । ଆଗକୁ ବିବାହ ଋତୁ ଥିବାରୁ ସୁନା ଦର ୩୫ହଜାର ଟପିଯିବା ଅନୁମାନ କରାଯାଉଛି ।