ଭକ୍ତ-ଭଗବାନ ମଝିରେ ଦୂରତା ଦୂରେଇଲା ମୋବାଇଲ୍: ମନ୍ଦିରରେ ପୂଜା କିନ୍ତୁ ମୋବାଇଲରେ ଚାଲିଛି ଦିଅଁ ଦର୍ଶନ: ସାମାଜିକ ଦୂରତା ରଖିବାକୁ ଶ୍ରଦ୍ଧାଳୁଙ୍କ ନୂଆ ଉପାୟ

ଭିଡିଓ କଲ ମାଧ୍ୟମରେ ମା’ ରାମଚଣ୍ଡୀଙ୍କୁ ଉପାସନା

504

କନକ ବ୍ୟୁରୋ: ଭକ୍ତ ଭଗବାନ ମଝିରେ ଦୂରତା ଦୂରେଇଲା ମୋବାଇଲ୍ । ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଘରେ ରହି ଭଗବାନଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । କରୋନା ଭୟାବହତା ଦୃଷ୍ଟିରେ ଦେଖି ମନ୍ଦିରରେ ସାଧାରାଣ ଦର୍ଶନ ବନ୍ଦ ରହିଛି । ଲୋକେ ମଧ୍ୟ ଏହି ବିପଦ ବେଳରେ ସରକାରଙ୍କ ସବୁ କଟକଣାକୁ ମାନି ଘରେ ରହି ମୋବାଇଲରେ ଭିଡିଓ କଲ ପୂଜାର୍ଚ୍ଚନା କରୁଛନ୍ତି । ଏଭଳି ଖବର ଆସିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଂଚଳରୁ । ଛେଣ୍ଡିପଦାର ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀଙ୍କ ନିଆରା ପୂଜାର୍ଚ୍ଚନା ଦେଖିବାକୁ ମିଳିଛି । ମାଆଙ୍କ ଭକ୍ତମାନେ ଭିଡିଓ କଲ କରି ମନ୍ଦିରରେ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।

ମନ୍ଦିରରେ ପୂଜକ ମାଆଙ୍କୁ ପୂଜା କରୁଥିବା ବେଳେ ମୋବାଇଲ୍ରେ ଭିଡିଓ କଲ କରି ଘରର ସମସ୍ତ ସଦସ୍ୟ ମୋବାଇଲ ଆଗରେ ହାତ ଯୋଡି ବସିଛନ୍ତି । ସ୍ଥାନୀୟ ଅଂଚଳର କୁମୁନ୍ଦ ଚନ୍ଦ୍ର ଦେହୁରୀଙ୍କ ପରିବାର ବର୍ଷ ବର୍ଷ ଧରି ମାଆ ରାମଚଣ୍ଡିଙ୍କ ପୂଜା କରିଆସୁଛନ୍ତି । ହେଲେ ଏବେ ଲକ ଡାଉନ ଯୋଗୁଁ ମନ୍ଦିରକୁ ଯାଇ ହେଉନାହିଁ । ତେଣୁ ସେମାନେ ପୂଜକଙ୍କ ଫୋନକୁ ଭିଡିଓ କଲ କରି ପୂଜାର୍ଚ୍ଚନାର ଲାଇଭ ଭିଡିଓ ଦେଖିଛନ୍ତି । ଆଉ ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । କେବଳ ରାମଚଣ୍ଡି ମନ୍ଦିର ନୁହେଁ ଛେଣ୍ଡିପଦାରେ ଥିବା ସାଇ ମନ୍ଦିର ପୂଜାର୍ଚ୍ଚନାର ଲାଇଭ ଭିଡିଓ ଦେଖିବାକୁ ମିଳୁଛି । ବାବାଙ୍କ ପୂଜା ଦେଖିବା ପାଇଁ ଲାଇଭ ସାଇ ଦର୍ଶନ ଡଟ୍ କମ ନାମକ ଏକ ୱେବ ସାଇଟ୍ କରାଯାଇଛି ।